କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଯୁବକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୧୩।୭(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ ଅଣ୍ଡାଳି ପଞ୍ଚାୟତ ଜାମବାହାଲ ଅଞ୍ଚଳର ଜଣେ ୪୦ ବର୍ଷିୟ ଯୁବକଙ୍କ ରାଉରକେଲାସ୍ଥିତ ହାଇଟେକ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ମୃତ୍ୟ ଘଟିଛି। ତାଙ୍କର ଜ୍ୱର, କାଶ, ଛିଙ୍କ ନ କମିବାରୁ ରାଏବୋଗା ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତାଙ୍କୁ ହାଇଟେକ୍‌ କୋଭିଡ୍‌ ହସ୍ପିଟାଲକୁ ଗତ ଶୁକ୍ରବାର ପଠା ଯାଇଥିଲା। ତାଙ୍କର ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଛି। ହେଲେ ରିପୋର୍ଟ ଆସି ନ ଥିବା କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଏହି ବ୍ୟକ୍ତି ଜଣକ ମହାରାଷ୍ଟ୍ରରୁ ଫେରି ଅଣ୍ଡାଳି ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ଟିଏମ୍‌ସି)ରେ ଗତ ମେ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିଥିଲେ। ଏହାପରେ ସେ ଘରକୁ ଯାଇଥିଲେ। ହେଲେ ଜୁଲାଇ ମାସ ପ୍ରାରମ୍ଭରୁ ତାଙ୍କର ଜ୍ୱର, କାଶ, ଛିଙ୍କ ଆରମ୍ଭ ହେବାରୁ ନିକଟସ୍ଥ ରାଏବୋଗା ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତାଙ୍କୁ ଔଷଧ ଦିଆଯାଉଥିଲା। ହେଲେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ରାଉରକେଲା ହାଇଟେକ୍‌ କୋଭିଡ୍‌ ହସ୍ପିଟାଲକୁ ପଠା ଯାଇଥିଲା।

Share