Categories: ଜାତୀୟ

ରାମ ଜନ୍ମଭୂମିର ପ୍ରମାଣ ଖୋଜି ବାହାର କରିଥିବା ବିବି ଲାଲଙ୍କ ପରଲୋକ…

ନୂଆଦିଲ୍ଲୀ, ୧୦।୯ : ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପୂର୍ବତନ ମହାନିର୍ଦ୍ଦେଶକ ପଦ୍ମଶ୍ରୀ ତଥା ପଦ୍ମଭୂଷଣ ପ୍ରଫେସର ଡ, ବିବି ଲାଲଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି।

ବିବି ଲାଲଙ୍କୁ ଭାରତର ସବୁଠାରୁ ବରିଷ୍ଠ ପ୍ରତ୍ନତତ୍ତ୍ୱବିତ୍ ଭାବରେ ବିବେଚନା କରାଯାଉଥିଲା। ମୃତ୍ୟୁ ପର୍ଯ୍ୟନ୍ତ ସେ ପ୍ରତ୍ନତତ୍ତ୍ୱ ସମ୍ବନ୍ଧୀୟ ଗବେଷଣା ଏବଂ ଏହାର ଲେଖାରେ ସକ୍ରିୟ ଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ବ୍ରଜବାସୀ ଲାଲ।

ବିବି ଲାଲ ୨ ମେ ୧୯୨୧ ରେ ଝାନସୀ ଜିଲାର ବଡୋରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଶିମଲାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡିର ନିର୍ଦ୍ଦେଶକ ଭାବରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ। ୨୦୦୦ ମସିହାରେ ବିବି ଲାଲଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ଏହା ପରେ ୨୦୨୧ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ବିବି ଲାଲ ମହାଭାରତ ଏବଂ ରାମାୟଣ ତଥା ସିନ୍ଧୁ ସଭ୍ୟତା ଏବଂ କାଲିବାଙ୍ଗନ ସହ ଜଡିତ ଅଞ୍ଚଳଗୁଡିକରେ ବହୁତ କାମ କରିଥିଲେ। ତାଙ୍କ କାର୍ଯ୍ୟ ସହ ଜଡିତ ଅନେକ ପୁସ୍ତକ ଏବଂ ଶହ ଶହ ଅନୁସନ୍ଧାନ ପତ୍ର ପ୍ରକାଶ ପାଇଛି। ବିବି ଲାଲ ୧୯୬୮ରୁ ୧୯୭୨ ପର୍ଯ୍ୟନ୍ତ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ନିର୍ଦ୍ଦେଶକ ଥିଲେ। ଏହା ବ୍ୟତୀତ ସେ ୟୁନେସ୍କୋର ବିଭିନ୍ନ କମିଟିରେ ମଧ୍ୟ ଜଡିତ ଥିଲେ। ୧୯୪୪ ମସିହାରେ, ସାର୍‌ ମୋର୍ଟିମର୍‌ ହୱିଲର୍‌ ତାଙ୍କୁ ତକ୍ଷଶିଳାରେ ତାଲିମ ଦେଇଥିଲେ। ରାମ ଜନ୍ମଭୂମିର ପ୍ରମାଣ ସେ ଖୋଜି ବାହାର କରିଥିଲେ। ସେ ୧୯୭୫ ମସିହାରେ ରାମାୟଣ ସାଇଟଗୁଡିକର ପ୍ରତ୍ନତତ୍ତ୍ୱ ପ୍ରକଳ୍ପ ଆରମ୍ଭ କରିଥିଲେ। ଏହା ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ, ଜିୱାଜୀ ବିଶ୍ୱବିଦ୍ୟାଳୟ ଗ୍ବାଲିଅର୍‌ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇଥିଲା। ଏହି ପ୍ରକଳ୍ପ ୩୧ ମାର୍ଚ୍ଚ ୧୯୭୫ ରେ ଅଯୋଧ୍ୟାରେ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ଅଯୋଧ୍ୟା, ଭରଦ୍ୱାଜ ଆଶ୍ରମ, ନନ୍ଦିଗ୍ରାମ, ଚିତ୍ରକୂଟ ଏବଂ ଶ୍ରୀଙ୍ଗଭଓ୍ବେରପୁର ଇତ୍ୟାଦି ସ୍ଥାନଗୁଡିକ ଯାଞ୍ଚ କରାଯାଇଥିଲା। ଏହି ଅନୁସନ୍ଧାନ ଆଧାରରେ ଅଯୋଧ୍ୟାରେ ଏକ ରାମ ମନ୍ଦିର ରହିବା ପ୍ରସଙ୍ଗ ସ୍ଥାପିତ ହୋଇଥିଲା।

ବିବି ଲାଲଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ବିବି ଲାଲ ଜଣେ ଚମତ୍କାର ବ୍ୟକ୍ତିତ୍ୱ। ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କୁ ଜଣେ ବୈଦ୍ଧିକ ବ୍ୟକ୍ତିତ୍ୱ ଭାବରେ ସ୍ମରଣ କରାଯିବ, ଯିଏ ଆମର ସମୃଦ୍ଧ ଅତୀତ ସହିତ ଗଭୀର ସଂଯୋଗ ସ୍ଥାପନ କରିଥିଲେ।

Share