ବିପ୍ଳବୀ ନେତା ଚେ ଗୁଏଭାରାଙ୍କ ପୁଅ କାମିଲୋଙ୍କ ପରଲୋକ

ବୁଏନ୍ସ ଏୟାର୍ସ,୧।୯: ଆଜେଣ୍ଟିନା ଜନ୍ମିତ ମାର୍କ୍ସବାଦୀ ବିପ୍ଳବୀ ନେତା ଏର୍ନେଷ୍ଟୋ ଚେ ଗୁଏଭାରାଙ୍କ ପୁଅ କାମିଲୋ ଗୁଏଭାରା ମାର୍ଚଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୬୦ ବର୍ଷ ହୋଇଥିଲା। କାରାକାସରେ ଗସ୍ତରେ ଥିବାବେଳେ ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା କ୍ୟୁବାର ଅଫିସରମାନେ କହିଛନ୍ତି। କାମିଲୋ ନିଜ ଜୀବନର ଅଧିକାଂଶ ସମୟ ବାପାଙ୍କ ଜୀବନୀ ଉପରେ ପ୍ରାମାଣିକ ଚିତ୍ର ନିର୍ମାଣରେ ଉତ୍ସର୍ଗ କରିଥିଲେ। କାମିଲୋ ହେଉଛନ୍ତି ଚେ’ଙ୍କ ଦ୍ୱିତୀୟ ସ୍ତ୍ରୀ ଆଲେଇଡା ମାର୍ଚଙ୍କ ଚତୁର୍ଥ ସନ୍ତାନ। ତାଙ୍କ ପରଲୋକରେ କ୍ୟୁବା ରାଷ୍ଟ୍ରପତି ମିଗୁଏଲ୍‌ ଡିଆଜ୍‌ କାନେଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ଫିଡେଲ ଏବଂ ରାଉଲ କାଷ୍ଟ୍ରୋଙ୍କ ସହ କ୍ୟୁବା ବିପ୍ଳବରେ ଚେ ସାମିଲ ହୋଇ ଫୁଲଗେନ୍‌ସିଓ ବାଟିଷ୍ଟା ସରକାରଙ୍କୁ ହଟାଇବାରେ ସଫଳ ହୋଇଥିଲେ।

Share