ପୁଣି କଳାହାଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୨୬।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ଦାଦନ ଦୁଃଖ ସରିବାର ନାଁ ଧରୁନାହିଁ। ଗତ ୩ ମାସ ମଧ୍ୟରେ କୋକସରା ବ୍ଲକର ୩ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଜଣେ ଦାଦନ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର କାଦୁବାଟି ପାଦିୟମ ଅଞ୍ଚଳରୁ ଠାବ ହୋଇଛି। ମୃତକ ହେଲେ କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ମହାଜନଗୁଡ଼ା ଗାଁର ରୁଦ୍ର ପ୍ରସାଦ ବେଶ୍ରାଙ୍କ ପୁଅ ମହେନ୍ଦ୍ର ବେଶ୍ରା(୨୦)।

ମିଳିଥିବା ସୂଚନା ମୁତାବକ, ଗତ ଡିସେମ୍ବରରେ ମହେନ୍ଦ୍ର ଘରର ଆର୍ଥିକ ସ୍ଥିତି ଦେଖି ଦାଦନ ଖଟିବାକୁ ଯାଇ କୋଏମ୍ବାଟୁର କାଦୁବାଟି ପାଦିୟମ ଅଞ୍ଚଳର ଏକ ଠିକାସଂସ୍ଥାରେ କାମ କରୁଥିଲେ। ହେଲେ ରବିବାର ମହେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ମିଳିଥିବା ଦୁଃଖଦ ଖବର ପାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଅନ୍ୟପକ୍ଷେ କେଉଁ ପରିସ୍ଥିତିରେ ମହେନ୍ଦ୍ରଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ପୁଅକୁ ଶେଷଥର ଦେଖିବା ପାଇଁ ମୃତଦେହ ଗାଁକୁ ଆଣିବାକୁ ପରିବାର ଲୋକେ ନିବେଦନ କରିଛନ୍ତି। ଠିକାସଂସ୍ଥା ଏକ ଆମ୍ବୁଲାନ୍ସରେ ମୃତଦେହ ଗାଁକୁ ପଠାଉଥିବା ସୂଚନା ମିଳିଛି।

Share