ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି କଳାହାଣ୍ଡି ଜିଲା ଥୁଆମୁଲ ରାମପୁର ଥାନା ମୁଣ୍ତିଘାଟି ଗ୍ରାମର ମନ ମାଝୀ(୪୧)। ଅର୍ଥ ଭାବରୁ ଗାଁକୁ ଆସି ପାରୁ ନାହିଁ ମୃତଦେହ। ଶେଷରେ ସ୍ବାମୀଙ୍କ ମୃତଦେହ ଗାଁକୁ ଆଣିବା ପାଇଁ ସ୍ଥାନୀୟ ପୋଲିସ ପାଖରେ ନିବେଦନ କରିଛନ୍ତି ସ୍ତ୍ରୀ ସୁକଳଦେଇ।

ମିଳିଥିବା ସୂଚନା ମୁତାବକ, ମନ ମାଝୀ ଗତ ମାସକ ତଳେ ପରିବାରର ଆର୍ଥିକ ଅଭାବ ଯୋଗୁ ତାମିଲନାଡୁ ରାଜ୍ୟ କୋଇମ୍ବାଟୁର ଜିଲାର ସେଟି ପାଲିଆମ ଥାନା ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ଏକ କୋଠାରେ ମଜୁରୀ କାମ କରୁଥିଲେ। ଶୁକ୍ରବାର ବସ୍‌ରେ ଯାତ୍ରା କରୁଥିବା ବେଳେ ହଟାତ୍‌ ପଡିଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ଖବର ପାଇ ସ୍ତ୍ରୀ ସୁକଲଦେଇ(୩୯) ଏବଂ ଛୋଟ ଝିଅ ଓ ପୁଅ ଦୁଃଖରେ ଭାଙ୍ଗି ପଡିଛନ୍ତି। ସ୍ବାମୀ ପରିବାରର ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ପରେ ଏବେ ପରିବାର ବେସାହାରା ହୋଇପଡିଛି। ଏପରିକି ସ୍ବାମୀଙ୍କ ମୃତଦେହ ଆଣିବାକୁ ତାଙ୍କ ପାଖରେ ଅର୍ଥ ନାହିଁ କି ସମର୍ଥ ମଧ୍ୟ ନାହିଁ। ଫଳରେ ସେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସହାୟତା କରିବାକୁ ସାଧାରଣରେ ଦାବି ହୋଇଛି।

Share