ବଡ଼ମ୍ବା ବନ ବିଭାଗ ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁ ଘଟଣା: କଟକ ଜିଲାପାଳ, ପିସିସିଏଫ୍‌ଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୩୧।୩(ବ୍ୟୁରୋ): କଟକ ଜିଲା ବଡ଼ମ୍ବା ବନ ବିଭାଗ ହେପାଜତରେ ସ୍ଥାନୀୟ ଅଞ୍ଚଳର ଧନେଶ୍ୱର ବେହେରା (୫୯)ଙ୍କ ମୃତ୍ୟୁ ଘଟଣାକୁ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ୱର ସହ ନେଇଛନ୍ତି। ଏହି ଘଟଣାରେ କମିଶନ କଟକ ଜିଲାପାଳ ଏବଂ ପିସିସିଏଫ୍‌ (ପ୍ରଧାନ ମୁଖ୍ୟ ବନ ସଂରକ୍ଷକ)ଙ୍କୁ ଶୁକ୍ରବାର ରିପୋର୍ଟ ତଲବ କରିଛନ୍ତି। ଘଟଣାର ତଦନ୍ତ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବଡ଼ମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗ୍ରାମର ଧନେଶ୍ୱରଙ୍କ ସମେତ ଅନ୍ୟ ୩ଜଣଙ୍କୁ ଫେବୃୟାରୀ ୫ରେ ବନ ବିଭାଗ କର୍ମଚାରୀମାନେ ଉଠାଇ ନେଇଥିଲେ। ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ହିତିଣ୍ଡା ସଂରକ୍ଷିତ ଜଙ୍ଗଲରେ ସେମାନେ ହାତୀ ଶିକାର କରିଥିବା ଅଭିଯୋଗରେ ସମସ୍ତଙ୍କୁ ପଚରାଉଚରା କରାଯାଇଥିଲା। ସମସ୍ତଙ୍କୁ ବନ କର୍ମଚାରୀମାନେ ନିସ୍ତୁକ ମାଡ଼ ମାରିଥିଲେ। ପରେ ବନବିଭାଗ ହେପାଜତରେ ଥିବା ସମୟରେ ଧନେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ଧନେଶ୍ୱରଙ୍କୁ ବନ କର୍ମଚାରୀମାନେ ପିଟି ହତ୍ୟା କରିଥିବା ସ୍ତ୍ରୀ ତୁଳସୀ ବେହେରା ବଡ଼ମ୍ବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୨୫/୨୦୨୩) ରୁଜୁ କରି ବଡ଼ମ୍ବା ରେଞ୍ଜରଙ୍କ ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରିଥିଲା। ଏନେଇ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ମାନବାଧିକାର କର୍ମୀ ଅଖଣ୍ଡ ଅଭିଯୋଗ କରିଥିଲେ। ସମ୍ପୃକ୍ତ ବନ କର୍ମଚାରୀ ଏବଂ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଧନେଶ୍ୱରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ଅଖଣ୍ଡ କମିଶନଙ୍କୁ ନିବେଦନ କରିଥିଲେ।

Share