ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଦନ୍ତାହାତୀର ମୃତ୍ୟୁ

କଣ୍ଟାମାଳ,୧୪ା୬(ଆଦିତ୍ୟେଶ୍ୱର ମିଶ୍ର): ବୌଦ୍ଧ ଜିଲା କଣ୍ଟାମାଳ ବନଖଣ୍ଡ ଘୁଚାଙ୍ଗୀ ଗାଁ ନିକଟ ବିଲରେ ବୁଧବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବୁଧବାର ପାହାନ୍ତିଆରେ ଏକ ହାତୀର ଚିତ୍କାର ଶୁଣିଥିଲେ। ସକାଳ ହେବା ପରେ ସେମାନେ ବିଲପଟେ ଯାଇ ସନ୍ଧାନ କରିବାରୁ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାର ତଳେ ଦନ୍ତାହାତୀ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ବନ ବିଭାଗକୁ ଖବର ଦେବାପରେ ବିଦ୍ୟୁତ୍‌ ବିଭାଗ ସହାୟତା ନେଇ ବିଜୁଳି ସଂଯୋଗ କଟାଯାଇଥିଲା। ଘୁଚାଙ୍ଗୀ ଗ୍ରାମ୍ୟ ଜଙ୍ଗଲରେ ଦୀର୍ଘ ୨ମାସ ହେବ ଏକ ହାତୀପଲ ବିଚରଣ କରୁଛନ୍ତି। ଏମାନେ ମଙ୍ଗଳବାର ରାତିରେ ଗାଁ ନିକଟ ତୋଟାରୁ ଆମ୍ବ ଖାଇସାରି ବାଟରେ ଥବୀର ରଣାଙ୍କ ଆଖୁବାଡ଼ିରେ ପଶି ୧ ଏକର ପରିମିତ ଆଖୁ ନଷ୍ଟ କରିଥିଲେ। ସେଠାରୁ ଫେରିବାବେଳେ ବିଲର ହିଡ ଚଢ଼ିବାକୁ ଯାଇ ଦନ୍ତାହାତୀର ଶୁଣ୍ଢ ୧୧କେଭି ବିଦ୍ୟୁତ୍‌ ତାରରେ ଲାଗିବାରୁ ତା’ର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। କାରଣ ହାତୀ ଶୁଣ୍ଢରେ ବିଦ୍ୟୁତ୍‌ ତାର ଲାଗି ପୋଡ଼ାଦାଗ ରହିଛି। ମୃତ ହାତୀଟି ମଧ୍ୟ ବୟସର ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ଡିଏଫ୍‌ଓ ଦେବପ୍ରିୟ କମ୍ପ ପୂର୍ବାହ୍ନ ୧୦ଟାରେ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍‌ ଆଘାତରେ ହାତୀର ମୃତ୍ୟୁ ଘଟିଥିବା ସେ ସୂଚନା ଦେବା ସହ ଭୁବନେଶ୍ୱରରୁ ଟିମ୍‌ ଆସି ତଦନ୍ତ କରିବା ପରେ ଠିକ୍‌ ତଥ୍ୟ ଜଣାପଡିବ ବୋଲି କହିଛନ୍ତି। କଣ୍ଟାମାଳରୁ ପ୍ରାଣୀଧନ ଚିକିତ୍ସକ ଭବେଶ କୁମାର ବେହେରା ହାତୀର ମୃତଦେହ ବ୍ୟବଚ୍ଛେଦ କରିବା ପରେ ନିକଟ ଜଙ୍ଗଲରେ ପୋତି ଦିଆଯାଇଛି ା