ହାତୀ ଘଉଡ଼ାଇବାବେଳେ ଅଘଟଣ: ସ୍କ୍ବାଡ୍‌ କର୍ମଚାରୀଙ୍କୁ କଚାଡ଼ି ମାରିଲା

କେନ୍ଦୁଝର,୧୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ନରଣପୁର ସେକ୍ସନ ଝାରବେଡ଼ା ଗ୍ରାମ ନିକଟରେ ବୁଧବାର ରାତିରେ ହାତୀ ଘଉଡ଼ାଇବାବେଳେ ଜଣେ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ କର୍ମଚାରୀଙ୍କ ନାମ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ(୪୫)। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ଚାପା ଉତ୍ତେଜନା ଲାଗି ରହିଛି।

ପ୍ରକାଶ ଯେ, ଗତକାଲି ସଦର ରେଞ୍ଜ ଝାରବେଡ଼ା ଗ୍ରାମ ନିକଟରେ ୬ ଟିକିଆ ହାତୀପଲ ବିଲରେ ପଶି ଧାନ ଫସଲ ନଷ୍ଟ କରୁଥିବା ସୂଚନା ପାଇବା ପରେ ସଦର ରେଞ୍ଜର ଅଜିତ୍‌ କୁମାର ଦାସ, ନରଣପୁର ଫରେଷ୍ଟର କାଳିନ୍ଦୀ ସାମଲଙ୍କ ସହ ସ୍କ୍ବାଡ୍‌ କର୍ମଚାରୀ ଉକ୍ତ ଅଞ୍ଚଳକୁ ହାତୀ ଘଉଡ଼ାଇବାକୁ ଯାଇଥିଲେ। ହାତୀ ଘଉଡ଼ାଇବାବେଳେ ହଠାତ୍‌ ଏକ ଦନ୍ତାହାତୀ ଗୋଠରୁ ଅଲଗା ହୋଇ ବନ କର୍ମଚାରୀଙ୍କୁ ଗୋଡ଼ାଇଥିଲା। ସମସ୍ତ ବନ କର୍ମଚାରୀ ଦୌଡ଼ି ପଳାଇ ଯାଇଥିବାବେଳେ ବସନ୍ତ ତଳେ ପଡ଼ି ଯାଇଥିଲେ। ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ ଟେକି ତଳେ କଚାଡ଼ି ଦେବା ସହ ଗୋଡ଼ରେ ଦଳିଦେଇଥିଲା। ବନ ବିଭାଗ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।

ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଲୋକ ଭୟଭୀତ ହୋଇଯାଇଥିବା ବେଳେ ପରିବାର ଲୋକ କ୍ଷତିପୂରଣ ଏବଂ ଜଣଙ୍କୁ ଚାକିରି ଦେବାକୁ ଦାବି କରିଛନ୍ତି। ସର୍ଭିସ ପ୍ରୋଭାଇଡର ଦ୍ୱାରା ତାଙ୍କୁ ୧ ଲକ୍ଷ ୫୨ ହଜାର ଟଙ୍କା ଏବଂ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ। ମୃତକଙ୍କ ସ୍ତ୍ରୀ ଦୁଇ ହଜାର ଟଙ୍କା ସର୍ବନିମ୍ନ ପେନ୍‌ସନ୍‌ ପାଇବେ ଓ ୧୮ ବର୍ଷର ଝିଅ ମାସକୁ ୫ ଶହ ଟଙ୍କା ପାଇବେ ବୋଲି ଡିଏଫ୍‌ଓ ଧନରାଜ ଏଚ୍‌.ଡି ପ୍ରକାଶ କରିଛନ୍ତି।