ବ୍ରହ୍ମପୁର ଅଫିସ ୨୫ା୩ : ଛତ୍ରପୁର ପୋଲିସ ଜିଲାରେ କନଷ୍ଟେବଳ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ଶୁକ୍ରବାର ଅପରାହ୍ନରେ ଅଘଟଣ ଘଟିଛି। ୧୬୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ଟ୍ରାକ୍ରେ ଦୌଡୁଥିବା ଥିବା ଜଣେ ପରୀକ୍ଷାର୍ଥୀ ହଠାତ୍ ପଡିଆରେ ଅଚେତ ହୋଇ ତଳେ ପଡିଯାଇଥିଲେ। ତାଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣଙ୍କ ହେଲେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ଦୀପ୍ତିରଞ୍ଜନ ଦାସ(୨୦)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ ଜବତ କରି ୧୫୦/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୋଲିସ ମୃତଦେହ ପଞ୍ଚନାମା କରିଛି। ଜିଲାପାଳଙ୍କ ଅନୁମତି ମିଳିବା ପରେ ମୃତଦେହ ବ୍ୟବଛେଦ କରାଯିବ ବୋଲି ବ୍ରହ୍ମପୁର ଏସ୍ପି ଡା. ଶ୍ରବଣା ବିବେକ ଏମ. ସୂଚନା ଦେଇଛନ୍ତି। ଖବର ପାଇ ମୃତ ଦୀପ୍ତିରଞ୍ଜନଙ୍କ ପରିବାର ବର୍ଗ ଡାକ୍ତରଖାନାରେ ପହଞ୍ଚିଥିବା ଜଣାପଡ଼ିଛି।