ଫିଲ୍ମ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ ପରଲୋକ…

ମୁମ୍ବାଇ : ମାଲାୟାଲମ ଚଳଚ୍ଚିତ୍ରର ଜଣାଶୁଣା ଲୋକପ୍ରିୟ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ସେ ସଲମାନ ଖାନଙ୍କ ଫିଲ୍ମ ‘ବଡିଗାର୍ଡ’ର ନିର୍ଦ୍ଦେଶନା ଦେଇଥିଲେ। ସିଦ୍ଦିକ ଇସମାଇଲ ମାଲାୟାଲମ ଜଗତର ଜଣେ ଜଣାଶୁଣା ନିର୍ଦ୍ଦେଶକ ଥିଲେ। ଗତ କିଛି ଦିନ ହେବ ସେ ନିମୋନିଆ ଏବଂ ଯକୃତ ରୋଗରେ ପୀଡିତ ଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଚିକିତ୍ଦା ଲାଗି କୋଚିର ଅମୃତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ଏକ୍ସଟ୍ରାକୋରପୋରାଲ ମେମ୍ବ୍ରେନ ସପୋର୍ଟରେ ରଖାଯାଇଥିଲା।

ତାଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ବହୁ ଚେଷ୍ଟା କରିଥିଲେ। ସମସ୍ତେ ଆଶା କରିଥିଲେ ସେ ସୁସ୍ଥ ହୋଇ ଘରକୁ ଆସିବେ, କିନ୍ତୁ ତାହା ହୋଇପାରିଲା ନାହିଁ। ୧୯୮୯ ମସିହାରେ ମାଲାୟାଲମ ଚଳଚ୍ଚିତ୍ର ‘ରାମଜୀ ରାଓ ସ୍ପିକ’ର ନିର୍ଦ୍ଦେଶକ ଭାବରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ସେ ‘ହରିହର ନାଗର’, ‘ଗଡଫାଦର’, ‘କାବୁଲିୱାଲା’, ‘ଭିଏତନାମ କଲୋନୀ’ ଏବଂ ‘ହିଟଲର’ ଭଳି ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା ଥିଲେ। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ବିଗ ବ୍ରଦର’, ଯାହା ବକ୍ସ ଅଫିସରେ ହିଟ ବୋଲି ପ୍ରମାଣିତ ହୋଇଥିଲା। ଏହି ଚଳଚ୍ଚିତ୍ରରେ ସୁପରଷ୍ଟାର ମୋହନଲାଲ ଏବଂ ଅଭିନେତା ଅରବାଜ ଖାନ ମୁଖ୍ୟ ଭୂମିକାରେ ଥିଲେ।

ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ସଲମାନ ଖାନଙ୍କ ଫିଲ୍ମ ‘ବଡିଗାର୍ଡ’ ଅନ୍ୟତମ। ୨୦୧୧ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ବେଶ୍‌ ସଫଳଥିଲା। ‘ବଡିଗାର୍ଡ’ର ତାମିଲ ସଂସ୍କରଣ ମଧ୍ୟ ସିଦ୍ଦିକଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଯାହାର ନାମ ‘କାଭାଲାନ ’ଥିଲା। ସିଦ୍ଦିକି ଜଣେ ଅଭିନେତା ସହିିତ ଭଲ ନିର୍ଦ୍ଦେଶକ ମଧ୍ୟ ଥିଲେ। ୨୦୨୨ ମସିହାରେ ସେ କେନକେମ ଫିଲ୍ମରେ ଏକ ବିଶେଷ ରୂପରେ ଅଭିନୟ କରିଥିଲେ। ଏକ ଛୋଟ ଭୂମିକାରେ ତାଙ୍କର ଅଭିନୟ ସହିତ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସିଦ୍ଦିକିଙ୍କ ଦେହାନ୍ତ ଖବର ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

Share