ଆତ୍ମହତ୍ୟା ଉଦ୍ୟମ କରିଥିବା ବନ କର୍ମଚାରୀଙ୍କ ମୃତ୍ୟୁ

ବାରିପଦା ଅଫିସ,୧୬ା୧୨: ବହୁ ଚର୍ଚ୍ଚିତ ଶିମିଳିପାଳ ହାତୀ ଶିକାର ଓ ପ୍ରମାଣ ପୋଡ଼ି ଘଟଣାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବନକର୍ମଚାରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। ଅଧିକାରୀଙ୍କ ତାଗିଦରେ ଭୟଭୀତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବନ କର୍ମଚାରୀ ତୁରାମ ପୂର୍ତ୍ତି।

ସୂଚନାନୁଯାୟୀ, ହାତୀ ମୃତ୍ୟୁ ଓ ପ୍ରମାଣ ନଷ୍ଟ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ତୁରାମ। ପ୍ରଘଟକୁ ସନ୍ଦେହ କରି ନିଲମ୍ବିତ ଉପରିସ୍ଥ କର୍ମଚାରୀ ଜଣକ ଗାଳିଗୁଲଜ କରିବା ନେଇ ତୁରାମ
ଗତ ୧୨ ତାରିଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ବ୍ୟାଘ୍ର ସୁରକ୍ଷା ବଳର କର୍ମଚାରୀ ତୁରାମ ଆତ୍ମହତ୍ୟା ଉଦ୍ୟମ ପରେ ବିଭାଗୀୟ କର୍ମଚାରୀ ପ୍ରଥମେ ଯଶୀପୁର ଡାକ୍ତରଖାନା ଭର୍ତ୍ତି କରିଥିଲେ। ସେଠାରେ ଗୁରୁତର ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର ହୋଇଥିଲେ। ତେବେ ଉକ୍ତ ଘଟଣାକୁ ନେଇ ତୁରାମଙ୍କ ପରିବାର ଲୋକେ ବନ କର୍ମଚାରୀଙ୍କ ନାଁରେ ଥାନାରେ ହତ୍ୟା ଅଭିଯୋଗ ଦେବେ ବୋଲି କହିଛନ୍ତି। ସାରା ରାଜ୍ୟର ନଜର ଏବେ ଶିମିଳିପାଳ ଅଭୟାରଣ୍ୟ ଉପରେ ଥିବା ବେଳେ ଆଜିର ମୃତ୍ୟୁ ଘଟଣା ପୁଣି ଚର୍ଚ୍ଚାକୁ ଆସିଛି।