ଲକ୍ଷ୍ନୌ,୧୬।୫ : ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ହରିଶଙ୍କର ତିୱାରୀଙ୍କର ମଙ୍ଗଳବାର ଗୋରଖପୁରରେ ପରଲୋକ ଘଟିଛି। ୟୁପିର ବାହୁବଳି ନେତା ପଣ୍ଡିତ ହରି ଶଙ୍କର ତିୱାରୀ, ଅଖିଲ ଭାରତୀୟ ଲୋକତାନ୍ତ୍ରିକ କଂଗ୍ରେସର ପ୍ରତିଷ୍ଠାତା ତଥା ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ମଙ୍ଗଳବାର ସନ୍ଧ୍ୟା ସାଢ଼େ ୭ଟାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ହରି ଶଙ୍କର ତିୱାରୀ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। ସେ ଧର୍ମଶାଲା ବଜାରର ତିୱାରୀ ହାତାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ବଡ଼ହଲଗଞ୍ଜର ତାଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିବା ହରି ଶଙ୍କର ତିୱାରୀ ଚିଲୁପାରରୁ ୬ ଥର ବିଧାୟକ ଥିଲେ। ଏହି ସମୟ ମଧ୍ୟରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଠାରୁ ମୁଲାୟମ ସିଂ ଯାଦବଙ୍କ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ମନ୍ତ୍ରୀ ଥିଲେ।