Categories: ଖେଳ

ପୂର୍ବତନ ଓପନର ସୁଧୀର ନାୟକଙ୍କ ପରଲୋକ

ନୂଆଦିଲ୍ଲୀ, ୬ା୪ (ପି.ଟି.): ଭାରତୀୟ କ୍ରିକେଟ ଦଳର ଜଣେ ପୂର୍ବତନ ଓପନର ସୁଧୀର ନାୟକଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା। ୧୯୭୪ରେ ସେ ୩ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। କିଛିଦିନ ଅସୁସ୍ଥ ରହିବା ପରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ବୁଧବାର ଦେହାନ୍ତ ଘଟିଛି। ସେ ତାଙ୍କ କ୍ୟାରିୟରରେ କୋଚ୍‌ ଏବଂ ଜଣେ କ୍ୟୁରେଟର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ମୁମ୍ବାଇ କ୍ରିକେଟ ସର୍କଲରେ ସେ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଥିଲେ। ୧୯୭୦-୭୧ରେ ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ରଣଜୀ ଟ୍ରଫି ଟାଇଟଲ ଜିତିଥିଲା। ସେହି ସିଜନରେ ସୁନୀଲ ଗାଭାସ୍କର, ଅଜିତ ଓ୍ବାଡେକର, ଦିଲୀପ ସରଦେଶାଇ ଓ ଅଶୋକ ମଙ୍କଡଙ୍କ ଭଳି ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ଏହି ସଫଳତା ହାସଲ କରିଥିବାରୁ ତାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା।

ତେବେ ୧୯୭୨ ରଣଜୀ ସିଜନରେ ପ୍ରମୁଖ ବ୍ୟାଟରମାନେ ଦଳକୁ ଫେରିବାରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା। ୧୯୭୪ରେ ଭାରତର ଇଂଲଣ୍ଡ ଟୁର୍‌ ସମୟରେ ସେ ବର୍ମିଂହାମ୍‌ ଟେଷ୍ଟରେ ତାଙ୍କ ପଦାର୍ପଣ କରିଥିଲେ। ସେ ଦ୍ୱିତୀୟ ଇନିଂସରେ ଏକମାତ୍ର ଅର୍ଦ୍ଧଶତକ (୭୭) ହାସଲ କରିଥିଲେ। ସୁଧୀର ୮୫ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୩୫ ଆଭରେଜରେ ୪୩୭୬ ରନ ସଂଗ୍ରହ କରିଥିଲେ। ସେ ୭ଟି ଶତକ ଓ ଗୋଟିଏ ଦ୍ୱିଶତକ ହାସଲ କରିଥିଲେ। ୧୯୭୪ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବ୍ୟାହତି ନେବା ପରେ ଜଣେ କୋଚ୍‌ ଭାବେ ସକ୍ରିୟ ଥିଲେ। ଜାହିର ଖାଁଙ୍କୁ ସେ ଲୋକଲୋଚନକୁ ଆଣିଥିଲେ। ସେ ମୁମ୍ବାଇ କ୍ରିକେଟ ଆସୋସିଏଶନର ଚେୟାରମ୍ୟାନ ଥିଲେ। ପରବର୍ତ୍ତୀ ସମୟରେ ସେ ବିନା ବେତନରେ ଓ୍ବାଙ୍ଖଡେ ଷ୍ଟାଡିୟମର ଜଣେ କୋଚ୍‌ ଭାବେ କାର୍ଯ୍ୟ କରିଥିଲେ।

Share