ସଂଘବଦ୍ଧ ଆକ୍ରମଣରେ ଭାରତୀୟ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ଛତ୍ରପୁର,୯ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁର ଛକଠାରେ ଭାରତୀୟ ସେନା କର୍ମଚାରୀ ଜେ. ଡିଲେଶ୍ୱର ପାତ୍ରଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଘଟଣାରେ ଶନିବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଶୁକ୍ରବାର ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସହ ସେମାନଙ୍କଠାରୁ ୨ଟି ବାଇକ ଓ ୨ ମୋବାଇଲ ଜବତ କରିଥିଲା। ତେବେ ଶନିବାର ଘଟଣାରେ ସମ୍ପୃକ୍ତ ଥିବା ରାମପଲ୍ଲୀ ଗ୍ରାମର ରାମକୃଷ୍ଣ ସ୍ବାଇଁ ଓରଫ ମାଖନଙ୍କୁ ଗିରଫ କରିବାରେ ସଫଳ ହୋଇଛି ଚମାଖଣ୍ଡି ପୋଲିସ। ଆଜି ମାଖନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଏନେଇ ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି। ପୂର୍ବରୁ କାଲିପଲ୍ଲୀ ଗ୍ରାମର ଜେ. କଲ୍ୟାଣୀ ପାତ୍ର, ସିଏଚ୍‌ ଶେଖର ପାତ୍ର, ବି. ଚେନେୟା ପାତ୍ର, ଜି. ଜଗନ୍ନାଥପୁର ଗ୍ରାମର ବି. ବୁଲୁ ପାତ୍ର ଓ ସିଏଚ୍‌. ଭିକି କୁମାର ପାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ମାଖନଙ୍କୁ ମିଶାଇ ମୋଟ୍‌ ୬ ଜଣଙ୍କୁ ଗିରଫ କରାଯାଇଛି।