Categories: ଖେଳ

ଜଷ୍ଟ ଫୋଣ୍ଟାଇନଙ୍କ ପରଲୋକ

ପ୍ୟାରିସ୍‌,୨ା୩(ପି.ଟି.): ଫ୍ରାନ୍ସର ପ୍ରସିଦ୍ଧ ଫୁଟବଲର ଜଷ୍ଟ ଫୋଣ୍ଟାଇନ୍‌ଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଫୋଣ୍ଟାଇନଙ୍କ ପୂର୍ବତନ କ୍ଲବ ରିମ୍‌ସ ପକ୍ଷରୁ ବୁଧବାର ଏହା ଘୋଷଣା କରାଯାଇଛି। ୧୯୫୮ ସଂସ୍କରଣର ବିଶ୍ୱକପ୍‌ ଖେଳିବାର ସୁଯୋଗ ପାଇଥିବା ଫୋଣ୍ଟାଇନ୍‌ ଦେଇଥିଲେ ୧୩ଟି ଗୋଲ୍‌। ମାତ୍ର ଗୋଟିଏ ସଂସ୍କରଣ ବିଶ୍ୱକପ ଖେଳି ସର୍ବାଧିକ ଗୋଲ ସ୍କୋରରଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଫୋଣ୍ଟାଇନ୍‌। ଉଲ୍ଲେଖଯୋଗ୍ୟ ଯେ, ମରକ୍କୋରେ ଜନ୍ମିତ ଫୋଣ୍ଟାଇନ୍‌ ପ୍ରଥମ ପସନ୍ଦର ଖେଳାଳି ଭାବରେ ଫ୍ରାନ୍ସ ଦଳରେ ସ୍ଥାନ ପାଇନଥିଲେ। ଶେଷ ମିନିଟରେ ତାଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ଆଉ ଜଣଙ୍କ ଠାରୁ ମାଗି ଆଣିଥିବା ଜୋତାରେ ସେ ଏହି କରିସ୍ମା ଦେଖାଇଥିଲେ। ଏହି ଫରଓ୍ବାର୍ଡ ଖେଳାଳି ଜଣଙ୍କ ସ୍ବିଡେନ ବିଶ୍ୱକପରେ ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ଏପରିକି ବିଶ୍ୱକପରେ ଅଭ୍ୟାସ କରିବା ବେଳେ ତାଙ୍କ ଜୋତା ଛିଡିଯିବା କାରଣରୁ ଅନ୍ୟ ଜଣଙ୍କ ଠାରୁ ମାଗି ଆଣିଥିବା ଜୋତାରେ ସେ ଖେଳିଥିଲେ। ପଶ୍ଚିମ ଜର୍ମାନୀ ବିପକ୍ଷ ତୃତୀୟ ସ୍ଥାନ ମ୍ୟାଚରେ ସେ ୪ ଗୋଲ ସ୍କୋର କରିଥିଲେ। ଫୁଟବଲ ବିଶ୍ୱକପ ଇତିହାସରେ ମିରୋସ୍ଲାଭ କ୍ଲୋଜେ ସର୍ବାଧିକ ୧୬ ଗୋଲ ସ୍କୋର କରିଥିବା ବେଳେ ଏଥିପାଇଁ ସେ ୪ଟି ସଂସ୍କରଣ ଖେଳିନ୍ତି। ଫୋଣ୍ଟାଇନ୍‌ ନିଜ କ୍ୟାରିୟରରେ ୨୧୩ ମ୍ୟାଚ୍‌ ଖେଳି ୨୦୦ ଗୋଲ ସ୍କୋର କରିଥିବା ବେଳେ ଫ୍ରାନ୍ସ ପାଇଁ ୨୧ ମ୍ୟାଚରୁ ୩୦ ଗୋଲ ସ୍କୋର କରିଛନ୍ତି। ମାର୍ଚ୍ଚ ୧୯୬୦ରେ ଗୋଡ ଭାଙ୍ଗିବା କାରଣରୁ ଫୋଣ୍ଟାଇନ୍‌ ମାତ୍ର ୨୮ ବର୍ଷ ବୟସରେ ଫୁଟବଲରୁ ଅବସର ଘୋଷଣା କରିଥିଲେ।

Share