ନୂଆଦିଲ୍ଲୀ, ୮।୫: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏମ୍.ଓ୍ବାଇ. ଇକ୍ବାଲଙ୍କର ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି। ତାଙ୍କ ପରଲୋକରେ ସିଜେଆଇ ଏନ୍.ଭି. ରମାନା ଶୋକବ୍ୟକ୍ତ କରିଛନ୍ତି। ସୂଚନା ଅଧିକାର ଆଇନରେ ବ୍ୟାଙ୍କଗୁଡ଼ିକର ସୂଚନା ପ୍ରଦାନ କରିବା ଲାଗି ଏକ ରାୟରେ ଭାରତର ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିବା ଖଣ୍ଡପୀଠରେ ଜଷ୍ଟିସ୍ ଇକ୍ବାଲ ଥିଲେ। ୨୦୧୨ ଡିସେମ୍ବରରୁ ୨୦୧୬ ଫେବୃୟାରୀ ୧୨ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟ ବିଚାରପତି ରହିଥିଲେ। ଏହା ପୂର୍ବରୁ ସେ ପାଟନା ଓ ଝାଡ଼ଖଣ୍ଡ ହାଇକୋର୍ଟ ବିଚାରପତି ଏବଂ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।