ପାଣିରେ ବୁଡ଼ି ଚାଲିଗଲା ମା’ବାପା ଛେଉଣ୍ଡ ନାବାଳିକାଙ୍କ ଜୀବନ

କୁଚିଣ୍ଡା,୭ା୯(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ତେଲିତିଲେଇମାଲ ପଞ୍ଚାୟତ ଅର୍ଜୁନଡିହି ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ପାଣିରେ ବୁଡି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଯାସମାନୀ ବିଲୁଙ୍ଗ(୧୬)।

ମିଳିଥିବା ସୂଚନା ଯାସମାନୀ ନିକଟସ୍ଥ ନାଳକୁ ଶୌଚ ପାଇଁ ଯାଇଥିଲେ। ହେଲେ କୌଣସି କାରଣରୁ ସେ ପାଣିରେ ବୁଡିଯାଇଥିଲେ। ଖବରପାଇ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ କୁଚିଣ୍ଡା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ମା’ବାପା ଛେଉଣ୍ଡ ଯାସମାନୀ ବଡବାପାଙ୍କ ପାଖରେ ରହୁଥିଲେ। ହଠାତ୍‌ ତାଙ୍କର ଏଭଳି ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।