ମୁଥୁଟ ଗ୍ରୁପ୍‌ର ଅଧ୍ୟକ୍ଷଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୭।୩: ଦେଶର ବହୁ ଲୋକଙ୍କୁ ସୁନା ବଦଳରେ ଋଣ ଦେଉଥିବା ଅଗ୍ରଣୀ ଘରୋଇ କମ୍ପାନୀ ମୁଥୁଟ ଗ୍ରୁପର ଚେୟାରମ୍ୟାନ୍‌ ଏମ.ଜି. ଜର୍ଜ ମୁଥୁଟ୍‌ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ରାତି ୯ଟାରେ ଦିଲ୍ଲୀର ଇଷ୍ଟ୍‌ ଅଫ୍‌ କୈଳାସସ୍ଥିତ ତାଙ୍କ ବାସଭବନର ୪ର୍ଥ ମହଲାରୁ ସେ ଖସିପଡିଥିବା ସୂଚନା ମିଳିଛି। ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁର କାରଣ ଜାଣିବା ଲାଗି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଶନିବାର ପର୍ଯ୍ୟନ୍ତ ରଖାଯାଇଥିଲା ଏବଂ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଦିଲ୍ଲୀ ପୋଲିସ କମିଶନର ଆର.ପି. ମୀନା ସୂଚନା ଦେଇଥିବା ଜଣାପଡିଛି। ଶନିବାର ତାଙ୍କର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଡାକ୍ତରମାନେ ପୋଲିସକୁ ଦେଇଛନ୍ତି। ସେ ପଡିଯିବା ସହ ଶରୀରରେ ଶକ୍ତ ଆଘାତ କାରଣରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତାଙ୍କ ଦ୍ୱାରା ସ୍ଥାପିତ ମୁଥୁଟ୍‌ ଗ୍ରୁପ ଦେଶର ସର୍ବବୃହତ୍‌ ଅର୍ଥଲଗାଣକାରୀ ସଂସ୍ଥାରେ ପରିଣତ ହୋଇଛି। ମୁଥୁଟ୍‌ ଫାଇନାନ୍ସ ଏକ ଅଣ ବ୍ୟାଙ୍କିଙ୍ଗ ସଂସ୍ଥା ଏବଂ ଏହା କେବଳ ଗ୍ରାହକଙ୍କୁ ସ୍ବର୍ଣ୍ଣ ବଦଳରେ ଋଣ ପ୍ରଦାନ କରିଥାଏ। ଏମ.ଜି. ଜର୍ଜ ମୁଥୁଟ ଏହି ସଂସ୍ଥାର ଅଧ୍ୟକ୍ଷ ହେବାରେ ତାଙ୍କ ପରିବାରର ତୃତୀୟ ପିଢିର ସଦସ୍ୟ ଥିଲେ। ଏହା ଛଡା ସେ ଅର୍ଥଡକ୍ସ ଚର୍ଚ୍ଚର ଟ୍ରଷ୍ଟି ମଧ୍ୟ ରହିଥିଲେ। ତାଙ୍କ ନେତୃତ୍ୱରେ ମୁଥୁଟ୍‌ ଫାଇନାନ୍ସ ସାରା ବିଶ୍ୱରେ ୫ ହଜାରରୁ ଅଧିକ ଶାଖା ଦ୍ୱାରା କାରବାର ପରିଚାଳନା କରୁଛି।

Share