ଖଲ୍ଲିକୋଟ,୧୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ପାଟଣା ସାହିର ମୂଳିଆ ସାହୁଙ୍କ ପୁଅ ସୁରଥ ସାହୁ (୪୨) କାମ କରିବା ପାଇଁ ଗତ ବର୍ଷେ ତଳେ ସୁରଟ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଗାଁ ରେ ବାପା, ମାଆଙ୍କ ସହ ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ରହୁଥିଲେ। ସୁରଟରେ ରୋଜଗାର କରି ଯାହା ଟଙ୍କା ପଠାନ୍ତି, ସେଥିରେ ଘର ଚଳୁଥିଲା। ସ୍ତ୍ରୀ, ପୁଅ, ଝିଅଙ୍କୁ ଦେଖିବା ପାଇଁ ଏହି ପଣା ସଂକ୍ରାନ୍ତି ବା ମେରୁ ସଂକ୍ରାନ୍ତିରେ ସେ ଗାଁକୁ ଫେରିଥାନ୍ତେ। ହେଲେ ସେ ଫେରିବା ପୂର୍ବରୁ ଆସିଲା ବଡ଼ ଦୁଃଖଦ ଖବର।
ଶନିବାର ସକାଳ ୭ ଟାରେ ସୁରଥ ରୁମରେ ବିଶ୍ରାମ ନେଉଥିବା ବେଳେ ହଠାତ ଅସୁସ୍ଥତା ଅନୁଭବ କଲେ। ତୁରନ୍ତ ତାଙ୍କୁ ସାଥିମାନେ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ସୁରଥ ଫେରିବେ ବୋଲି ଖୁସିରେ ଥିବା ପରିବାର ତାଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି।
ମୃତ ସୁରଥଙ୍କ ବାପା, ମାଆ, ସ୍ତ୍ରୀ, ଯୁକ୍ତ ଦୁଇରେ ପଢ଼ୁଥିବା ପୁଅ ଓ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଝିଅ ମୁଣ୍ଡ ପିଟି କାନ୍ଦୁଛନ୍ତି। ଏହି ଦୃଶ୍ୟ ଯିଏ ଦେଖୁଚି ତା ଆଖିରେ ଲୁହ ଆସି ଯାଉଛି। ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପୁରା ପରିବାର ସ୍ତବ୍ଧ ହୋଇଯାଇଛନ୍ତି। ମୃତ ସୁରଥଙ୍କ ମୃତଦେହକୁ ଗାଁ କୁ ଫେରାଇ ଆଣିବାକୁ ପରିବାର ଲୋକେ ନିବେଦନ କରିଛନ୍ତି।


