ଏମ୍‌କେସିଜିରେ ଅବ୍ୟବସ୍ଥା: ଚିକିତ୍ସା ଅବହେଳାରୁ ଗର୍ଭବତୀ ମା’, ଶିଶୁଙ୍କ ମୃତ୍ୟୁ

ବ୍ରହ୍ମପୁର,(ସୁବାସ ଚନ୍ଦ୍ର ପାଢ଼ୀ)୨୭।୭: ଉତ୍ତମ ଚିକିତ୍ସା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ଏମ୍‌କେସିଜି ମେଡିକାଲରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଲେବର ରୁମରେ ଜଣେ ଗର୍ଭବତୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ତାଙ୍କ ସ୍ବାମୀ ମହେନ୍ଦ୍ର ଜେନା ଅଭିଯୋଗ କରିଛନ୍ତି। ମୃତ ମହିଳା ଜଣଙ୍କ ପଙ୍କଜିନି ତରାଇ (୨୭)। ଏହାକୁ ନେଇ ଗାଇନିକ ୱାର୍ଡରେ ରୋଗୀ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ମେଡିକାଲ ଫାଣ୍ଡି ପୋଲିସ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ଘଟଣାରୁ ପ୍ରକାଶ ମଙ୍ଗଳବାର ମଧ୍ୟ ରାତ୍ରରେ ପ୍ରସବ ବେଦନା ହେବାରୁ ମହେନ୍ଦ୍ର ତାଙ୍କ ସ୍ତ୍ରୀ ପଙ୍କଜିନିଙ୍କୁ ଏମକେସିଜି ଗାଇନିକ ୱାର୍ଡରେ ଭର୍ତ୍ତି କରିଥିଲେ। ତାଙ୍କୁ ଲେବର ରୁମ କୁ ନିଆଯାଇଥିଲା। କିଛି ସମୟ ମଧ୍ୟରେ ପଙ୍କଜୀଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ଏହାକୁ ମହେନ୍ଦ୍ର ସହଜରେ ହଜମ କରିପାରି ନ ଥିଲେ। ଚିକିତ୍ସା ଅବହେଳାରୁ ତାଙ୍କ ସ୍ତ୍ରୀଙ୍କ ସେଠାରେ ମୃତ୍ୟୁଘଟିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।