Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଏସପିଜି ନିର୍ଦ୍ଦେଶକଙ୍କ ପରଲୋକ…

ନୂଆଦିଲ୍ଲୀ,୬।୯ : ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ର ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଛି। ପ୍ରକାଶ ଯେ,୬୧ ବର୍ଷିୟା ସିହ୍ନା ଅସୁସ୍ଥତା କାରଣରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କେରଳ କ୍ୟାଡରର ୧୯୮୭ ବ୍ୟାଚ ଆଇପିଏସ ଅଧିକାରୀ ସିହ୍ନାଙ୍କୁ ନିର୍ଦ୍ଦେଶକ, ଏସପିଜି ଭାବରେ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଥିଲା।

ମାର୍ଚ୍ଚ ୨୦୧୬ଠାରୁ ଅରୁଣ କୁମାର ସିହ୍ନା ଏସପିଜି ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ। ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜି କାର୍ଯ୍ୟଭାର ସମ୍ଭାଳିଥାଏ।

ଅରୁଣ କୁମାର ସିହ୍ନା କେରଳର ପୋଲିସ ସ୍ପେଶାଲ ସର୍ଭିସେସ ଏବଂ ଟ୍ରାଫିକର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ହିଁ ତାଙ୍କୁ କେନ୍ଦ୍ରକୁ ଡେପୁଟେଶନରେ ଡକାଯାଇଥିଲା। ସେ ଏକ ବର୍ଷ ସୀମା ସୁରକ୍ଷା ବଳ (ବିଏସଏଫ) ରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ସମଗ୍ର ଦେଶରେ ପୋଲିସ ଫୋର୍ସରୁ ମନୋନୀତ ପ୍ରାୟ ୩୦୦ କ୍ରାକ କମାଣ୍ଡୋଙ୍କ ଏକ ଦଳର ନେତୃତ୍ୱ ନେଉଥିଲେ।

Share