କୋରାପୁଟ,୫ା୮(ଅମିତାଭ ବେହେରା): ବିଦ୍ୟୁତ କାମ କରୁଥିବା ବେଳେ ବିଦ୍ୟୁତତାର ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ବ୍ଲକ ମାନବାର ପଞ୍ଚାୟତର କମାରଗୁଡ଼ାରେ। ଏହି ଗାଁର ପର୍ଶୁରାମ ପାଙ୍ଗି ବୟସ(୨୫) କୋରାପୁଟ ବିଦ୍ୟୁତ ବିଭାଗରେ ଅସ୍ଥାୟୀ ଭାବେ କର୍ମଚାରୀ ଥିଲେ। ସବୁଦିନ ଭଳି ଶନିବାର ବି ନିଜ କାର୍ଯ୍ୟସ୍ଥଳକୁ ଯାଇଥିଲେ। କୋରାପୁଟ ଜୋନ-୨ର ପାଇକ ଫୁଲବେଡ଼ା ପଞ୍ଚାୟତରେ କାମ କରୁଥିବା ସମୟରେ ବିଦ୍ୟୁତ୍ତାର ଲାଗି ଯାଇଥିଲା। ଫଳରେ ସେ ଅଚେତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପର୍ଶୁରାମ ୪ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଗୋଟେ ୩ବର୍ଷର ଝିଅ ଅଛି। ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁ ପର୍ଶୁରାମଙ୍କ ଜୀବନ ଯାଇଛି ବୋଲି ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ପର୍ଶୁରାମଙ୍କ ସ୍ତ୍ରୀଙ୍କୁ ଚାକିରି ସହିତ କ୍ଷତିପୂରଣ ଦେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।