ଦାଦନ ଖଟିବାକୁ ଯାଇଥିଲେ: ଚାଲିଗଲା ଯୁବତୀଙ୍କ ଜୀବନ

ଦାରିଙ୍ଗବାଡି,୧୧।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଦାଦନ ଦୁଃଖ ଦେଖୁବାକୁ ମିଳିଛି। ଦାଦନ ଖଟିବାକୁ ଯାଇ ପୁଣି ଜଣେ ଯୁବତୀଙ୍କ ଅକାଳ ବିୟୋଗ ଚିନ୍ତା ବଢାଇଛି। ପ୍ରକାଶ ଯେ, ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀଗୁଡା ପଞ୍ଚାୟତ କୁଟଲାରି ଗାଁ ବାଘପଦା ସାହିର ଜଣେ ଯୁବତୀ ଅର୍ଚ୍ଚନା ପାଟମାଝିଙ୍କ ଗୋଆରେ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

କିଛି ଦିନ ତଳେ ଅର୍ଚ୍ଚନା ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ମଙ୍ଗଳବାର ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଅର୍ଚ୍ଚନାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ଅନ୍ୟପକ୍ଷେ ଅର୍ଚ୍ଚନାଙ୍କ ମୃତଦେହ ଗାଁକୁ ଫେରାଇ ଆଣିବାକୁ ଝିଞ୍ଜିରୀଗୁଡ଼ା ସରପଞ୍ଚ ଚାନ୍ଦିନୀ ପ୍ରଧାନ ଶୁକ୍ରବାର କନ୍ଧମାଳ ଜିଲାପାଳ ଏବଂ ସ୍ଥାନୀୟ ବିଡ଼ିଓଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି।

ସୂଚନା ଯୋଗ୍ୟ, ଦାରିଙ୍ଗବାଡ଼ ଅଞ୍ଚଳରୁ ଅନେକ ଲୋକ ଦାଦନ ଖଟିବାକୁ କେରଳ, ତାମିଲନାଡୁ, ଗୋଆ, ଗୁଜୁରାଟ ଭଳି ରାଜ୍ୟକୁ ଯାଉଛନ୍ତି। ଗତ ଦେଢ଼ ବର୍ଷରେ ଉକ୍ତ ବ୍ଲକ ଅଞ୍ଚଳରୁ ଦାଦନ ଖଟିବାକୁ ଯାଇ ୧୫ରୁ ଅଧିକ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ମାସ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Share