ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁ ଘଟଣା

କଟକ ଅଫିସ୍‌/ ପୁରୀ ଅଫିସ୍‌ ୧୫।୧: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଶନିବାର ମାମଲା ରୁଜୁ ହୋଇଛି। ଆୟୋଗଙ୍କ ଏକ ଟିମ୍‌ ଦ୍ୱାରା ଘଟଣାର ତଦନ୍ତ କରାଯିବା ସହ ରାଜଶ୍ରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆୟୋଗଙ୍କୁ ନିବେଦନ କରାଯାଇଛି। ନ୍ୟାୟ ପାଇଁ ଲଢେଇ ପରିବାର ଅନୁଷ୍ଠାନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏ ନେଇ ଆୟୋଗରେ ମାମଲା (ନଂ.୭୬୯/ଇନ୍‌ /୨୦୨୩) ରୁଜୁ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ପୁରୀ ଜିଲା ରାମଚଣ୍ଡୀ ଥାନା ଅଧୀନ ଭୁଅଁା ଗ୍ରାମର ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତଦେହ ଶୁକ୍ରବାର ଗୁରୁଡିଝାଟିଆ ଥାନା ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲରୁ ପୋଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। ରାଜଶ୍ରୀ କଟକର ଏକ ହଷ୍ଟେଲରେ ରହୁଥିଲେ। ସେ ଜଣେ ଭଲ କ୍ରିକେଟର ଭାବେ ସୁନାମ ଅର୍ଜନ କରିଥିବାବେଳେ ତାଙ୍କୁ ଖେଳାଳି ଚୟନରୁ ବାଦ୍‌ ଦିଆଯାଇଥିଲା।
ସେ ଗତ ୧୧ ତାରିଖରୁ ନିଖୋଜ ହୋଇଯାଇଥିଲେ। ଏ ସମ୍ପର୍କରେ ତାଙ୍କ କୋଚ୍‌ ପୁଷ୍ପାଞ୍ଜଳି ବାନାର୍ଜୀ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ଶୁକ୍ରବାର ମିଳିଥିବା ରାଜଶ୍ରୀଙ୍କ ମୃତଦେହର ବିଭିନ୍ନ ଜାଗାରେ କ୍ଷତଚିହ୍ନ ରହିଥିଲା। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ରାଜଶ୍ରୀଙ୍କ ମୃତ୍ୟୁ ପଛରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି ବୋଲି ମଧ୍ୟ ଅଭିଯୋଗ ଉଠିଛି। ରାଜଶ୍ରୀଙ୍କ ଭଳି ଜଣେ ଉଦୀୟମାନ ମହିଳା କ୍ରିକେଟରଙ୍କ ମୃତ୍ୟୁକୁ ନେଇ ରାଜ୍ୟରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ତେଣୁ ଏହାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ କରିବାକୁ ଆବେଦନକାରୀ ନିବେଦନ କରିଛନ୍ତି।

Share