କେସିଙ୍ଗା,୭।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଉତ୍କେଲା ଫାଣ୍ଡି ଅନ୍ତର୍ଗତ ଚିଚର୍ଲା ଗ୍ରାମରେ ଥିବା ଦାରକାପୁରୀ ଟେକ୍ସଟାଇଲ କପା ମିଲରେ ଜଣେ ଶ୍ରମିକ କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଶନିବାର ସକାଳେ ମୃତ୍ୟୁ ଘଟିଛି। ମୃତକ ଚିଚର୍ଲା ଗ୍ରାମର ଆସିକ ସୁନା (୨୧) ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଜାତୀୟ ରାଜପଥ ୨୬ ଉପରେ ଥିବା ଚିଚର୍ଲା ଓ କେନ୍ଦୁପଡ଼ା ମଧ୍ୟରେ ଥିବା ଏକ ନୂତନ ଭାବରେ ତିଆରି ହେଉଥିବା କପା ମିଲରେ ଚିଚର୍ଲା ଗ୍ରାମର କମଳ ସୁନାଙ୍କ ପୁଅ ଆସିକ ସୁନା କାମ କରୁଥିଲେ।
ଶନିବାର ସକାଳ ସମୟରେ କପା ମିଲରେ କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି। ବାପା ମା’ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିବା ବେଳେ ତାଙ୍କ ଏକ ମାତ୍ର ପୁଅକୁ ହରାଇ ସେମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।
ଘଟଣାସ୍ଥଳରେ ଉତକେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଁଅର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି। କ୍ଷତିପୂରଣ ପାଇଁ ପରିବାରଲୋକେ ଥାନାରେ ଦାବି କରିଛନ୍ତି।