ବାଲିଗୁଡ଼ା,୧୭ା୨: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଲଣ୍ଡାଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବାହାଘର ଭୋଜି ଖାଇ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦ୍ରୁତଗତିରେ ଆସୁଥିବା ଏକ କାର୍ ଧକ୍କାଦେଇ ନିକଟସ୍ଥ ଘର ଭିତରକୁ ପଶିଯାଇଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଲଣ୍ଡାଗାଁର ମାର୍କଣ୍ଡ ଦଣ୍ଡିଆ (୫୦)। ଘଟଣା ପରେ ଚାଳକ ସମେତ କାରରେ ବସିଥିବା ୫ଜଣ ଫେରାର ହୋଇଯାଇଛନ୍ତି।
ସୂଚନାଯୋଗ୍ୟ, ଅପରାହ୍ନରେ ଦ୍ରୁତଗତିରେ ଏକ କାର୍ (ଓଆର୍-୦୧ଟି-୨୪୪୯) ଆସି ମାର୍କଣ୍ଡଙ୍କୁ ଧକ୍କା ଦେବା ସହ ଘୋଷାରି ନେଇ ଘର ଭିତରକୁ ପଶି ଯାଇଥିଲା। ସ୍ଥାନୀୟ ଲୋକେ ମାର୍କଣ୍ଡଙ୍କୁ ଉଦ୍ଧାର କରି କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚତ୍ ଦୁର୍ଘଟଣାଗ୍ରସ୍ତ କାର୍କୁ ଥାନାକୁ ଆଣିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। କାର୍ଟି ବାଲେଶ୍ୱର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।