Categories: ଜାତୀୟ

ବିଷାକ୍ତ ମଦ ପିଇ ୩୦ ମୃତ୍ୟୁ: ତଦନ୍ତ ପାଇଁ ଗଠନ ହେଲା ୩ଜଣିଆ କମିଟି

ଅହମଦାବାଦ,୨୭ା୭: ଭାଜପା ଶାସିତ ଗୁଜରାଟରେ ବିଷାକ୍ତ ମଦ ପିଇ ୩୦ ଜଣଙ୍କ ଜୀବନ ଯାଇଛି। ଆହୁରି ୫୧ଜଣ ଅସୁସ୍ଥ ହୋଇ ସରକାରୀ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସାଧୀନ ବ୍ୟକ୍ତିଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ଏକ ତିନିଜଣିଆ କମିଟି ଗଠନ କରିଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଗୁଜରାଟର ଏକ ଫ୍ୟାକ୍ଟ୍ରିରୁ ୪୦,୦୦୦ ଟଙ୍କାରେ ୬୦୦ ଲିଟର କେମିକାଲ କିଣାଯାଇଥିଲା। ସେଥିରେ ଅନ୍ୟ କେତେକ ରାସାୟନିକ ପଦାର୍ଥ ମିଶାଇ ମଦ ପ୍ରସ୍ତୁତ କରାଯାଇଥିଲା। ଅହମଦାବାଦ ଓ ବୋଟାଡ୍‌ ଜିଲାରେ ରବିବାର ଅନେକ ଲୋକ ସେହି ବିଷାକ୍ତ ମଦ ପିଇଥିଲେ। ବିଷକ୍ରିୟାରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭାବନଗର ଓ ଅହମଦାବାଦ ସିଭିଲ ହସ୍ପିଟାଲରେ ୫୧ ଜଣ ଚିକିତ୍ସିତ ହେଉଛନ୍ତି। ଗୃହମନ୍ତ୍ରୀ ହର୍ଷ ସାଂଘଭି ପୋଲିସ ଆଇଜି ସୁଭାଷ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ସ୍ବତନ୍ତ୍ର ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୩ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେ କହିଛନ୍ତି। ଅହମଦାବାଦର ଧନ୍ଧୁକାରେ ମଧ୍ୟ ଏପରି ୫ଟି ମାମଲା ସାମ୍ନାକୁ ଅସିଛି, ଯାହାର ତଦନ୍ତ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି।

Share