Categories: ଜାତୀୟ

୬୨ରେ ପହଞ୍ଚିଲା ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା

ଚଣ୍ଡିଗଡ଼, ୧।୮: ପଞ୍ଜାବରେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକ ସଂଖ୍ୟା ୬୨ରେ ପହଞ୍ଚତ୍ଛି। ଶନିବାର ତରନ ତରନ ଜିଲାରେ ଆଉ ୨୩ ଜଣ ଲୋକ ଏହି ଘଟଣାରେ ଆଖି ବୁଜିଛନ୍ତି। ଡେପୁଟି କମିଶନର କୁଲଓ୍ବନ୍ତ ସିଂ କହିଛନ୍ତି, ଶୁକ୍ରବାର ସୁଦ୍ଧା ଏହି ଜିଲାରେ ବିଷାକ୍ତ ମଦ ପିଇ ୧୯ ଜଣ ମୃତ୍ୟୁବରଣ କରିଥିଲେ। ଜିଲାରେ ମୋଟ୍‌ ମୃତ୍ୟୁ ସଂଖ୍ୟା ଏବେ ୪୨ରେ ପହଞ୍ଚତ୍ଛି। ଏହି ଜିଲାରେ ସର୍ବାଧିକ ମୃତ୍ୟୁ ସଦର ଓ ସହର ଅଞ୍ଚଳରେ ହୋଇଛି।’ ତରନ ତରନ ଜିଲା ବ୍ୟତୀତ ଅମୃତସରରେ ୧୧ ଜଣ ଓ ବାତଲାରେ ୯ ଜଣ ଲୋକ ବିଷାକ୍ତ ମଦ ପିଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଧିକାଂଶ ପୀଡ଼ିତଙ୍କ ପରିବାର ସଦସ୍ୟ ସେମାନଙ୍କ ବୟାନ ରେକର୍ଡ ପାଇଁ ଆସୁନାହାନ୍ତି। ସହଯୋଗ ପାଇଁ ଆମେ ତାଙ୍କୁ ପ୍ରେରିତ କରୁଛୁ। କିନ୍ତୁ ସୋମନଙ୍କ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଉ ବୋଲି ଚାହୁଁଛନ୍ତି। ଏପରିକି ବିଷାକ୍ତ ମଦ ପିଇ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି ବୋଲି ଗ୍ରହଣ କରିବାକୁ ରାଜି ହେଉ ନାହାନ୍ତି। ହୃଦଘାତ ଯୋଗୁ ତାଙ୍କ ସମ୍ପର୍କୀୟଙ୍କ ବିୟୋଗ ହୋଇଥିବା ସେମାନେ କହୁଛନ୍ତି। ସେହିଭଳି କେତେକ ମଧ୍ୟ ପୋଷ୍ଟ ମର୍ଟମ ନ କରି ଶବକୁ ଦାହ କରିଦେଉଥିବା ଜଣାପଡ଼ିଛି। ଏହି ସଙ୍ଗୀନ ଘଟଣାରେ ପୋଲିସ ଅଦ୍ୟାବିଧି ୧୦ ଜଣଙ୍କୁ ଗିରଫ କରିଛି।

Share