ତାଲିବାନ କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବଢୁଛି: ଜାତିସଂଘ…

କାବୁଲ,୨୭।୬ : ତାଲିବାନ କ୍ଷମତା ଦଖଲ କରିବା ପରେ ଆଫଗାନିସ୍ତାନରେ ହୋଇଥିବା ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ମିଳିତ ଜାତିସଂଘ ମଙ୍ଗଳବାର ଏନେଇ ଉଦବେଗ ପ୍ରକାଶ କରିଛି।
ଆଫଗାନିସ୍ତାନରେ ମିଳିତ ଜାତିସଂଘ ମିଶନ କିମ୍ବା ୟୁଏନଏମଏର ଏକ ନୂତନ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୦୨୧ ମଧ୍ୟଭାଗରୁ ଏବଂ ମେ ମାସ ଶେଷ ପର୍ଯ୍ୟନ୍ତ, ୩,୭୭୪ ସାଧାରଣ ନାଗରିକ ଆହତ ହୋଇଥିଲେ। ସେହିପରି ମୃତକଙ୍କ ସଂଖ୍ୟା ୧,୦୯୫ ଛୁଇଁଛି। ୨୦୨୦ରେ ୮,୮୨୦ ସାଧାରଣ ନାଗରିକ ଏଭଳି ଆକ୍ରମଣର ଶିକାର ହୋଇଥିଲେ ଏବଂ ମୃତ୍ୟୁ ସଂଖ୍ୟା ୩,୦୩୫ ଥିଲା।

ଜାତିସଂଘର ରିପୋର୍ଟ ଅନୁଯାୟୀ, ତାଲିବାନ କ୍ଷମତା ହାସଲ କରିବା ପରଠାରୁ ତିନି ଚତୁର୍ଥାଂଶ ଆକ୍ରମଣ ଧର୍ମସ୍ଥଳ, ବିଦ୍ୟାଳୟ ଏବଂ ବଜାର ସମେତ ଜନବହୁଳ ଅଞ୍ଚଳରେ ଘଟିଥିଲା। ମୃତକଙ୍କ ମଧ୍ୟରେ ୯୨ ମହିଳା ଏବଂ ୨୮୭ ଶିଶୁ ଅଛନ୍ତି।

ଅଧିକାଂଶ ଆଇଇଡି ଆକ୍ରମଣ ଇସଲାମିକ ଷ୍ଟେଟ ଗୋଷ୍ଠୀର ଏକ ସହଯୋଗୀ ଦ୍ୱାରା କରାଯାଇଥିଲା, ଯାହା ଖୋରାସାନ ପ୍ରଦେଶର ଇସଲାମିକ ଷ୍ଟେଟ ଭାବରେ ଜଣାଶୁଣା। ତେବେ ଜାତିସଂଘର ରିପୋର୍ଟରେ କୁହାଯାଇଛି ଆକ୍ରମଣ କାରଣରୁ ମୃତ୍ୟୁ ସଂଖ୍ୟା କେବେହେଲେ ଦାବି କରାଯାଇ ନ ଥିଲା। ତେଣୁ ଜାତିସଂଘ ମିଶନ କୌଣସି ଗୋଷ୍ଠୀକୁ ଏନେଇ ଦାୟୀ କରି ପାରି ନାହିଁ।

ଜାତିସଂଘ ଏଜେନ୍ସି ଏହି ଆକ୍ରମଣର ତୁରନ୍ତ ସମାପ୍ତ କରିବାକୁ ଦାବି କରିଛି ଏବଂ ଆଫଗାନିସ୍ତାନର ସୁରକ୍ଷା ପାଇଁ ତାଲିବାନ ସରକାର ଦାୟୀ ବୋଲି କହିଛି। ତାଲିବାନ କହିଛି ଆଫଗାନିସ୍ତାନ ଧ୍ୱଂସ ହେବାକୁ ଯାଉଥିବାବେଳେ ସେମାନଙ୍କ ପ୍ରଶାସନ କ୍ଷମତାକୁ ଆସିଥିଲା ଏବଂ ସେମାନେ ଦୃଢ଼ ନିଷ୍ପତ୍ତି ନେଇ ଉପଯୁକ୍ତ ପରିଚାଳନା ମାଧ୍ୟମରେ ଦେଶ ତଥା ସରକାରଙ୍କୁ ସଙ୍କଟରୁ ରକ୍ଷା କରିବାରେ ସଫଳ ହୋଇଥିଲେ। ଏହାର ଉତ୍ତରରେ ତାଲିବାନ ନେତୃତ୍ୱାଧୀନ ବୈଦେଶିକ ମନ୍ତ୍ରଣାଳୟ କହିଛି ଅଗଷ୍ଟ ୨୦୨୧ ପରଠାରୁ ପରିସ୍ଥିତି ଧୀରେ ଧୀରେ ସୁଧୁରିଛି।

Share