ଦୀଘା ଉପକୂଳ ଅଲିଭରିଡ୍‌ଲେଙ୍କ ମୃତ୍ୟୁ ଉପତ୍ୟକା

ଭୋଗରାଇ,୧୦।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୀମାନ୍ତ ଦୀଘା ଉପକୂଳ ଏବେ ଅଲିଭ ରିଡ୍‌ଲେଙ୍କ ମୃତ୍ୟୁ ଉପତ୍ୟକା ପାଲଟିଛି। ଶତାଧିକ ଟ୍ରଲର ଓଡ଼ିଶା ଜଳରାଶି ମଧ୍ୟକୁ ଅବାଧରେ ପଶିବା ଓ ବାଲେଶ୍ୱର ଜିଲା କୀର୍ତ୍ତନିଆ ସହିତ ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ବହୁ ମାଛଧରା ଟ୍ରଲର ଗଭୀର ସମୁଦ୍ରରେ ମାଛ ମାରୁଥିବାରୁ ଅଣ୍ଡାଦାନ ପାଇଁ ଆସୁଥିବା ଅଲିଭରିଡ୍‌ଲେ ଟ୍ରଲର ଲୁହା ଫ୍ୟାନ୍‌ରେ କଟିଯାଇ କ୍ଷତବିକ୍ଷତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏହି ମୃତ ଅଲିଭରିଡ୍‌ଲେ ସମୁଦ୍ର ଜୁଆରରେ ଭାସି ଆସି କୂଳରେ ଲାଗୁଛନ୍ତି। ଏପରିକି ସମୁଦ୍ରକୂଳ ନିର୍ଜନ ସ୍ଥାନରେ ପଡ଼ି ସମଗ୍ର ପରିବେଶ ଦୁର୍ଗନ୍ଧମୟ ହେଉଛି। ମୃତ ଅଲିଭରିଡ୍‌ଲେଙ୍କୁ କାଉ, କୁକୁର, ବିଲୁଆ ଟାଣି ଖିନଭିନ୍‌ କରୁଛନ୍ତି। ଦୀଘା ଉପକୂଳରେ ଗତମାସଠାରୁ ଅଲିଭରିଡ୍‌ଲେଙ୍କ ଅଦ୍ୟାବଧି ମୃତ୍ୟୁ ସଂଖ୍ୟା ୧୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଗୁରୁବାର ଏକ ବିରଳ ପ୍ରଜାତିର ଅଲିଭରିଡ୍‌ଲେ ସମୁଦ୍ରରେ ଭାସି ଆସି କୂଳରେ ଲାଗିଛି। ଏହାର ଓଜନ ଏକ କୁଇଣ୍ଟାଲରୁ ଅଧିକ ହେବ ବୋଲି ମତ୍ସ୍ୟଜୀବୀ ପ୍ରକାଶ କରିଛନ୍ତି।
ତାଳସାରୀ ବେଳାଭୂମିରେ ଗତବର୍ଷ ୭ଟି ଅଲିଭରିଡ୍‌ଲେଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟି କୂଳରେ ଲାଗିଥିବା ଉଦୟପୁର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭବତଃ ଏହ ଅଲିଭରିଡ୍‌ଲେ ଅଣ୍ଡାଦାନ ନିମନ୍ତେ ଉପକୂଳମୁହାଁ ହେଉଥିବାରୁ ବେପରୁଆ ମାଛଧରା ଟ୍ରଲର ଧକ୍କା ଏବଂ ମତ୍ସ୍ୟଜୀବୀଙ୍କ ଜାଲରେ ଛନ୍ଦି ହୋଇ ଛଟପଟ ହୋଇ ମୃତ୍ୟୁବରଣ କରୁଥିବା ବନବିଭାଗ କହିଛି। ଗତବର୍ଷ ତାଳସାରୀ ସୁବର୍ଣ୍ଣଦ୍ୱୀପରେ ୪ଟି ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିଥିବା ବେଳେ ଚଳିତବର୍ଷ ପାଗ ଅନୁକୂଳ ଓ ସୁରକ୍ଷା ଦୃଷ୍ଟିରୁ ନିଷିଦ୍ଧଜୋନ୍‌ରେ ଅଧିକ ଅଲିଭ୍‌ରିଡ୍‌ଲେଙ୍କ ଅଣ୍ଡାଦାନ ସମ୍ଭାବନା ରହିଛି। ଉଦୟପୁରଠାରୁ କୀର୍ତ୍ତନିଆ ପର୍ଯ୍ୟନ୍ତ ୮କି.ମି. ଦୂର ଉପକୂଳରେ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ ସହିତ ସଚେତନତା, ସ୍ବଚ୍ଛତା ଏବଂ ୧୦ କି.ମି. ସମୁଦ୍ର ମଧ୍ୟକୁ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି ବୋଲି ବନପାଳ ପରମାନନ୍ଦ ନାୟକ ଓ ବନରକ୍ଷୀ ସଞ୍ଜୟ ମହାନ୍ତି ପ୍ରକାଶ କରିଛନ୍ତି।