ଛେଣ୍ଡିପଦା,୧୨ା୬(ସ୍ବ.ପ୍ର.): କୋଭିଡ୍ ଟିକା ନେବାର ଘଣ୍ଟାକ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଖମାର ଗ୍ରାମର ଶରତ ଚନ୍ଦ୍ର ସେନାପତି (୫୮)। ଅଭିଯୋଗ ପାଇ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ନିୟମ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲ କଲେଜକୁ ପଠାଇଛନ୍ତି।
ଅଭିଯୋଗ ଅନୁଯାୟୀ, ଛେଣ୍ଡିପଦା ଥାନା ବରସାହି ପଞ୍ଚାୟତରେ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଉଥିଲା। ପୂର୍ବାହ୍ନ ୧୦ଟା ବେଳେ ଖମାର ଗ୍ରାମର ଶରତ ଚନ୍ଦ୍ର ସେନାପତି ଓ ତାଙ୍କ ସ୍ତ୍ରୀ ରଜନୀ ସେନାପତି କୋଭିଡ୍ ଟିକା ନେଇଥିଲେ। ସେଠାରେ ଥିବା ନିରୀକ୍ଷଣ ଗୃହରେ ଶରତ ଅଧଘଣ୍ଟା ବିଶ୍ରାମ ନେବା ପରେ ସାଇକେଲ ଯୋଗେ ଘରକୁ ଫେରିଥିଲେ। ହେଲେ ଘରେ ପହଞ୍ଚିବାର ୧୫ ମିନିଟ୍ ପରେ ତାଙ୍କ ଦେହ ଥରିଥିଲା। ଏହାପରେ ଶରତଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣା ସମ୍ପର୍କରେ ତୁରନ୍ତ ପରିବାର ଲୋକେ ବାଗଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ରାଜଲକ୍ଷ୍ମୀ ସାହୁ ଓ ଏଏନ୍ଏମ୍ ଗେଲି ପ୍ରଧାନଙ୍କୁ ଜଣାଇଥିଲେ। ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶରତଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଖବରପାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଆଶିଷ ପାଣି, ବିପିଏମ୍ ସଞ୍ଜୟ ବେହେରା, ମାଜିଷ୍ଟ୍ରେଟ ପ୍ରକାଶ ଚନ୍ଦ୍ର ନାୟକ ଓ ଥାନା ଅଧିକାରୀ ସୁଶାନ୍ତ ସିଂ ପ୍ରମୁଖ ପହଞ୍ଚି ତଦନ୍ତ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ବ୍ୟବଚ୍ଛେଦ କରା ନ ଯାଇ କଟକ ଏସ୍ସିବି ପଠାଯାଇଥିବା ବାଗଡିଆ ଫାଣ୍ଡି ଅଧିକାରୀ ଆଶିଷ ଦାଶ ପ୍ରକାଶ କରିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପାଣି କହିଛନ୍ତି, ଟିକା ନେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ସରକାରୀ ନିୟମ ଅନୁଯାୟୀ ଏପରି ଘଟଣାରେ ମୃତଦେହ ନିକଟସ୍ଥ ମେଡିକାଲ କଲେଜରେ ବ୍ୟବଚ୍ଛେଦ କରାଯିବ। ତେଣୁ ମୃତଦେହ କଟକ ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଟିକା ନେବା ପରେ ଶରତଙ୍କୁ ଅଧଘଣ୍ଟା ନିରୀକ୍ଷଣରେ ରଖାଯାଇଥିଲା। ତେବେ ଘରକୁ ଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିୟମ ଅନୁଯାୟୀ ମେଡିକାଲ କଲେଜର ବିଶେଷଜ୍ଞମାନଙ୍କ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ କରାଯିବ। ତେଣୁ ମୃତଦେହ କଟକ ପଠାଯାଇଥିବା ଜିଲାପାଳ ପ୍ରକାଶ କରିଛନ୍ତି।