ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଉତ୍ତେଜନା

ଝାରସୁଗୁଡ଼ା ଅଫିସ,୬।୧୦ ଝାରସୁଗୁଡ଼ା ଜିଲା ବଡମାଲସ୍ଥିତ ଏସ୍‌ଏମ୍‌ସି ଆଇରନ ରୋଲିଂ ମିଲ ପ୍ରକଳ୍ପରେ ବୁଧବାର ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣଙ୍କ ହେଲେ ଝାଡଖଣ୍ଡ ବାରାକୋଟାର ବନମାଳା ବୋଇପାଇ(୨୦)। ପ୍ରକଳ୍ପ ପରିସରରେ ଏକ କ୍ରେନ୍‌ କାର୍ଯ୍ୟକରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ ସମ୍ପୃକ୍ତ ଶ୍ରମିକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଝାରସୁଗୁଡା ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବଡମାଲ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ପୋଲିସ ବଡମାଲ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମୃତ ଶ୍ରମିକଙ୍କ କ୍ଷତିପୂରଣ ଦାବିରେ ପ୍ରକଳ୍ପରେ ଚାପାଉତ୍ତେଜନା ଦେଖା ଦେଇଛି। ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ନଜର ରଖିଛି।