ବ୍ରିଟେନରେ ଡିବ୍ୟାକିଙ୍ଗ ଦୁର୍ନୀତି: ପ୍ରତି ଦିନ ହଜାରେ ଆକାଉଣ୍ଟ ବନ୍ଦ କରୁଛନ୍ତି ବ୍ୟାଙ୍କ…

ଲଣ୍ଡନ,୩୧।୭ : ବ୍ରିଟେନରେ ଏକ ନୂଆ ସ୍କାମ ସାମ୍ନାକୁ ଆସିଛି। ବାସ୍ତବରେ, ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ବ୍ୟାଙ୍କଗୁଡ଼ିକ ପ୍ରତିଦିନ ଏକ ହଜାରରୁ ଅଧିକ ଆକାଉଣ୍ଟ ବନ୍ଦ କରୁଛନ୍ତି। ଏହି ତଥାକଥିତ ସ୍କାମକୁ ଡିବ୍ୟାଙ୍କିଙ୍ଗ କୁହାଯାଉଛି। ଏଠାରେ ଏହି ପ୍ରସଙ୍ଗରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି।

ବ୍ରିଟେନର ଇଣ୍ଡିପେଣ୍ଡେନ୍ସ ପାର୍ଟି (ୟୁକିଆଇପି) ନେତା ନିଗେଲ ଫାରେଜ ଏହି ଦୁର୍ନୀତିର ଯାଞ୍ଚ ପାଇଁ ଏକ ରୟାଲ କମିଶନ ଗଠନ କରିବାକୁ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେଉଁମାନଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି ସେମାନଙ୍କ ତରଫରୁ ପ୍ରଚାର କରିବାକୁ ସେ ଏକ ୱେବସାଇଟ ଲଞ୍ଚ କରିବାକୁ ଯାଉଛନ୍ତି। ଫାରେଜଙ୍କ ଆକାଉଣ୍ଟ ମଧ୍ୟ ବନ୍ଦ ହୋଇଛି।
ଆକାଉଣ୍ଟ ବନ୍ଦ କରିବା ପୂର୍ବରୁ ବ୍ୟାଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ। ଫଳରେ ଗ୍ରାହକମାନେ ଅସୁବିଧାରେ ପଡୁଛନ୍ତି।

୨୦୧୬ ରୁ ୨୦୧୭ ମଧ୍ୟରେ ବ୍ୟାଙ୍କଗୁଡିକ ପ୍ରାୟ ୪୫ ହଜାର ଆକାଉଣ୍ଟ ବନ୍ଦ କରିଦେଇଥିଲେ। କେବଳ ଏତିକି ନୁହେଁ, ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ପାଉଥିଲା ଏବଂ ୨୦୨୧-୨୦୨୨ ମସିହାରେ ଏହି ସଂଖ୍ୟା ୩୪୩ ହଜାରରୁ ଅଧିକରେ ପହ ଞ୍ଚିଛି । ଏଥିରୁ ଏହା ସ୍ପଷ୍ଟ ହୋଇଛି ପ୍ରତିଦିନ ଏକ ହଜାରରୁ ଅଧିକ ଆକାଉଣ୍ଟ ବନ୍ଦ କରାଯାଉଛି। ଆର୍ଥିକ ଆଚରଣ ପ୍ରାଧିକରଣ (ଏଫସିଏ) ଅନୁରୋଧ କ୍ରମେ ଦିଆଯାଇଥିବା ଫ୍ରିଡମ ଅଫ ଇନଫରମେଶନ (ଏଫଓଆଇ) ଏହି ତଥ୍ୟ ପ୍ରକାଶ ପାଇଛି। କୁହାଯାଉଛି ବ୍ୟାଙ୍କଗୁଡିକ ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ ଆକାଉଣ୍ଟ ବନ୍ଦ ବିଷୟରେ ମଧ୍ୟ ଜଣାଇ ନାହାଁନ୍ତି।

ଫାରେଜ କହିଛନ୍ତି ମୋତେ ଛୋଟ ବ୍ୟବସାୟ ଏବଂ ଦେଶର ଲୋକମାନେ ଘେରି ରହିଛନ୍ତି। ସେମାନଙ୍କ ଆକାଉଣ୍ଟ ବନ୍ଦ ଯୋଗୁ ଲୋକମାନେ ଭୟଭୀତ ଅଛନ୍ତି। ହଜାର ହଜାର ବ୍ୟବସାୟ ବନ୍ଦ ହୋଇଯାଇଛି। ସେମାନେ କିଛି ଭୁଲ ମଧ୍ୟ କରିନାହାଁନ୍ତି ।

 

କୁହାଯାଉଛି ବ୍ରିଟେନର ଅନେକ ନେତାଙ୍କ ଆକାଉଣ୍ଟ ବ୍ୟାଙ୍କଗୁଡିକ ବନ୍ଦ କରି ଦେଇଛନ୍ତି। ପ୍ରାୟ ୯୦ ହଜାର ବନ୍ଦ ଖାତାର ଆକାଉଣ୍ଟଧାରୀମାନେ ରାଜନୀତି ସହ ଜଡିତ ଥିବା ଜଣାପଡିଛି। କୁହାଯାଉଛି ବ୍ରିଟେନର କିଛି ସାଂସଦ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ବ୍ରିଟେନର ଶକ୍ତି ସଚିବ ଗ୍ରାଣ୍ଟ ଶାପ୍ସ ଦାବି କରିଛନ୍ତି ତାଙ୍କର ଏବଂ ତାଙ୍କ ପରିବାର ମଧ୍ୟ ରାଜନୈତିକ ସମ୍ପୃକ୍ତି ଯୋଗୁ ଡିବ୍ୟାକିଙ୍ଗ ର ଶିକାର ହୋଇଛନ୍ତି। ସେ କହିଛନ୍ତି ଗ୍ରାହକ ହେବା ପୂର୍ବରୁ ଏକ ବ୍ୟାଙ୍କ ତାଙ୍କୁ ୧୮ ବର୍ଷର ପେ ସ୍ଲିପ ମାଗିଥିଲା।

ଏଫସିଏ ଅନୁଯାୟୀ ବ୍ୟାଙ୍କଗୁଡିକ ମନିଟରିଂ ବୃଦ୍ଧି କରିଛନ୍ତି, ଯାହା ଆକାଉଣ୍ଟ ବନ୍ଦରେ କିଛି ବୃଦ୍ଧି ଘଟାଇପାରେ। ଏଫସିଏ କହିଛି ଆମେ ଜାଣୁ ଯେ ଆର୍ଥିକ ଅପରାଧ ହେତୁ ବ୍ୟାଙ୍କଗୁଡିକ ଦ୍ୱାରା ଆକାଉଣ୍ଟ ବନ୍ଦ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୦.୨ ପ୍ରତିଶତରୁ କମ ଅଟେ। ଆର୍ଥିକ ଅପରାଧର ମୁକାବିଲା କରିବା ଏଫସିଏ ପାଇଁ ଏକ ପ୍ରାଥମିକତା। ଆମେ ଦେଖିଛୁ କମ୍ପାନୀଗୁଡିକ ଗତ କିଛି ବର୍ଷ ମଧ୍ୟରେ ଆକାଉଣ୍ଟଗୁଡିକର ମନିଟରିଂ ବଢ଼଼ାଉଛନ୍ତି, ଯାହା ଏହି ସଂଖ୍ୟାରେ ବୃଦ୍ଧି ଘଟାଇପାରେ। ଏଥି ସହିତ ବ୍ରିଟେନ ସରକାର ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିବାର ନିୟମ ପରିବର୍ତ୍ତନ କରିବା ଯୋଜନା ଘୋଷଣା କରିଛନ୍ତି। ଏଥିରେ ବ୍ୟାଙ୍କଗୁଡ଼ିକୁ ଅନେକ ଥର ନୋଟିସ ଦେବାକୁ କୁହାଯାଇଛି।

Share