ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୁଦ୍ଧରେ ଲଢି ଚର୍ଚ୍ଚାକୁ ଆସିଥିବା ଅଧିକାରୀ

କୋଲକାତା,୧୪।୭: ପଶ୍ଚିମବଙ୍ଗରେ କରୋନା ବିରୋଧରେ ଲଢେଇକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଧିକାରୀ ଦେବଦତ୍ତା ରାୟ ଶେଷରେ କରୋନା ନିକଟରେ ହାର ମାନିଛନ୍ତି। ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଏହି ୩୮ ବର୍ଷୀୟା ସରକାରୀ ଅଧିକାରୀ ଜଣଙ୍କ। ଆଉ ପଛରେ ଛାଡି ଯାଇଛନ୍ତି ତାଙ୍କ ସ୍ବାମୀ ଓ ୪ ବର୍ଷର ଶିଶୁ ପୁତ୍ରକୁ। ଦେବଦତ୍ତା ହୁଗୁଳି ଜିଲା ଚନ୍ଦନନଗର ସବ୍‌ଡିଭିଜନରେ ଡେପୁଟି ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟରତ ଥିଲେ। ଜୁଲାଇ ମାସ ଆରମ୍ଭରେ ତାଙ୍କ ନିକଟରେ କୋଭିଡ-୧୯ ଲକ୍ଷଣ ଦେଖାଦେଇଥିଲା। ଏହାପରେ ତାଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ହେଲେ ରବିବାର ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସୋମବାର ସକାଳେ ସେଠାରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଲକ୍‌ ଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ଆସୁଥିବା ଟ୍ରେନ୍‌ ଓ ତାହାର ପହଞ୍ଚିବା ସମୟକୁ ଦେଖି ପ୍ରବାସୀଙ୍କ ରହିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନେଇଥିଲେ ଦେବଦତ୍ତା। ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିବା ସହ ତାଙ୍କ ସ୍ବାମୀଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି।

Share