Advertisement
Categories: ଖେଳ

ନେପାଳରେ ଟାଇଟଲ ଜିତିଲେ ଓଡ଼ିଶାର ଦେବାଶିଷ

ଭୁବନେଶ୍ୱର, ୫।୨: ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବୀ ପ୍ରଦର୍ଶନ କରି ସମ୍ପ୍ରତି ଚର୍ଚ୍ଚାରେ ରହିଥିବା ଓଡ଼ିଶା ଟେନିସ ପ୍ରତିଭା ଦେବାଶିଷ ସାହୁ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ଜୁନିୟର ଆଇଟିଏଫ୍‌ ଜେ୬୦ ଟୁର୍ନାମେଣ୍ଟର ସିଙ୍ଗଲ୍ସରେ ସେ ଚାମ୍ପିୟନ ଓ ଡବଲ୍ସରେ ରନରଅପ୍‌ ହୋଇଛନ୍ତି। ପୂର୍ବରୁ ଜୁନିୟର ଡେଭିସ୍‌ କପ୍‌ ଖେଳି ସାରିଥିବା ଦେବାଶିଷ ପ୍ରଥମ ଓଡ଼ିଆ ଖେଳାଳିଭାବେ ଏପରି ସଫଳତା ପାଇଛନ୍ତି ଏବଂ ଓ୍ବାଲର୍‌ଡ ଆଇଟିଏଫ୍‌ ର଼୍ୟାଙ୍କିଙ୍ଗ୍‌ର ୩୫୦ରେ ପହଞ୍ଚତ୍ ଯାଇଛନ୍ତି। ଫଳରେ ଗ୍ରାଣ୍ଡସ୍ଲାମ ଖେଳିବା ଦିଗରେ ସେ ଆଗକୁ ବଢ଼ିଛନ୍ତି। ନେପାଳ ପ୍ରତିଯୋଗିତାର ସିଙ୍ଗଲ୍ସ ଫାଇନାଲ ଅବସରରେ ସେ ଦ୍ୱିତୀୟ ସିଡ୍‌ ତାଇଓ୍ବାନର କାଇ ଇନ୍‌ ୟାଙ୍ଗ୍‌ଙ୍କୁ ୬-୧, ୪-୪, ୭-୬ (୭/୩)ରେ ପରାସ୍ତ କରିଥିଲେ। ଫାଇନାଲରେ ଟପ୍‌ ସିଡ୍‌ ଖେଳାଳି ଭିଏତନାମ୍‌ର ଫାମ୍‌ ଲା ହ୍ବାଙ୍ଗ ଆନ୍‌ଙ୍କୁ ୪-୬, ୬-୧, ୬-୩ ସେଟ୍‌ରେ ହରାଇ ଦେଇଥିଲେ। ଡବଲ୍ସରେ ଦେବାଶିଷ ଓ ସ୍ମିଥ ପଟେଲଙ୍କ ଯୋଡ଼ି ସେମିଫାଇନାଲରେ ହଂକଂର ହୋଙ୍ଗ୍‌ କିଉ ଲାଉ ଓ ଭାରତର ବଂଶ ନନ୍ଦାଲଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ମାତ୍ର ଟାଇଟଲ ପର୍ଯ୍ୟାୟରେ ଆମେରିକାର ଆରାଭ ସମ୍ରାଟ ହାଦା ଓ ନେପାଳର ଆକି ଜୁବେନ ରାଓ୍ବତ ଯୋଡ଼ିଙ୍କଠାରୁ ୬-୩, ୫-୭ ଓ ସୁପର ଟାଇବ୍ରେକର ୮-୧୦ରେ ହାରି ଯାଇଥିଲେ। ଢେଙ୍କାନାଳ ଗଁଦିଆର ଅନୁକମ୍ପା ସାହୁ ଓ ଲକ୍ଷ୍ମୀକାନ୍ତ ସାହୁଙ୍କ ପୁତ୍ର ଦେବାଶିଷ ଏବେ ଅହମଦାବାଦସ୍ଥିତ ଅଲଟୋଭେଲ ଆଲେକଜାଣ୍ଡର ଓ୍ବାସ୍‌କେ ଟେନିସ ଏକାଡେମୀରେ ଶ୍ରୀମଲ ଭଟ୍ଟଙ୍କଠାରୁ କୋଚିଂ ନେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel