Categories: ଖେଳ

ହରାରେରେ ଟାଇଟଲ ଜିତିଲେ ଦେବାଶିଷ

ଭୁବନେଶ୍ୱର, ୧୯।୮(ତପନ ସ୍ବାଇଁ): ରାଜ୍ୟର ଅନ୍ୟତମ ପ୍ରତିଭାସମ୍ପନ୍ନ ଟେନିସ ଖେଳାଳି ଦେବାଶିଷ ସାହୁ ଜିମ୍ବାଓ୍ବେର ହରାରେଠାରେ ଅନୁଷ୍ଠିତ ଆଇଟିଏଫ୍‌ ୧୦୦ ଅନ୍ତର୍ଜାତୀୟ ଟେନିସ ଟୁର୍ନାମେଣ୍ଟର ୧୮ ବର୍ଷରୁ କମ୍‌ ଡବଲ୍ସ ଇଭେଣ୍ଟରେ ଟାଇଟଲ ବିଜୟୀ ହୋଇଛନ୍ତି। ଗତ ୧୩ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଶୁକ୍ରବାର ଶେଷ ହୋଇଥିଲା। ଆମେରିକାର ହାନୁ ପଟେଲ ଦେବାଶିଷଙ୍କ ପାର୍ଟନର ଥିଲେ। ଫାଇନାଲରେ ଦେବାଶିଷ ଓ ହାନୁ ଯୋଡ଼ି ଘାନାର ରାଫାଲ ନିଲ୍‌ ଅନ୍‌କ୍ରା ଓ ବୁରୁନ୍ଦିର ଆଲାନ ଗାଟୋଟୋଙ୍କୁ ୬-୨, ୬-୦ ସେଟ୍‌ରେ ପରାସ୍ତ କରିଥିଲେ। ପ୍ରତିଯୋଗିତାରୁ ଦେବାଶିଷ ୩୫ ଆଇଟିଏଫ୍‌ ପଏଣ୍ଟ ହାସଲ କରିଛନ୍ତି। ଫଳରେ ସେ ୩୮୧ରୁ ୩୦୦ ର଼୍ୟାଙ୍କ୍‌ ଆଡ଼କୁ ଅଗ୍ରସର ହୋଇଛନ୍ତି। ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମର ଜୁନିୟର ବିଭାଗରେ ଭାଗନେବା ତାଙ୍କର ଲକ୍ଷ୍ୟ। ଦେବାଶିଷ ସମ୍ପ୍ରତି କିଟ୍‌ରେ ଦ୍ୱାଦଶ ଷ୍ଟାଣ୍ଡାର୍ଡରେ ଅଧ୍ୟୟନ କରୁଛନ୍ତି। ଅହମଦାବାଦସ୍ଥିତ ଆଲଟୋଭେଲ ଆଲେକଜାଣ୍ଡର ଓ୍ବାସ୍କେ ଟେନିସ ଏକାଡେମୀରେ ସମ୍ପ୍ରତି କୋଚ୍‌ ଶ୍ରୀମଲ ଭଟ୍ଟଙ୍କଠାରୁ ଟ୍ରେନିଂ ନେଉଥିବା ଦେବାଶିଷ ନିଜର ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଏବଂ ନିଜ ସ୍କୁଲ୍‌ କିଟ୍‌କୁ ଶ୍ରେୟ ଦେଇଛନ୍ତି। ସରକାର ଓ କିଟ୍‌ର ସହଯୋଗ ଯୋଗୁ ସେ ଆଜି ଏଠାରେ ପହଞ୍ଚତ୍ ପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଜାତୀୟ ସର୍କିଟରେ ସେ ଏଆଇଟିଏ ୧୮ ବର୍ଷରୁ କମ୍‌ ବାଳକ ବର୍ଗରେ ୮ମ ସିଡ୍‌ର ମାନ୍ୟତା ପାଉଛନ୍ତି।

Share