ପ୍ରକାଶ ତ୍ରିପାଠୀ
ଉତ୍ତରପ୍ରଦେଶର ସରକାରୀ ସ୍କୁଲଗୁଡ଼ିକରେ କରାଯାଇଥିବା କାମ ଦେଖିଯିବା ପାଇଁ ଆପଣଙ୍କ ନିମନ୍ତ୍ରଣକୁ ମୁଁ ଗ୍ରହଣ କରୁଛି। ଆପଣ ୧୦ଟି ସ୍କୁଲର ତାଲିକା ପ୍ରସ୍ତୁତ କରନ୍ତୁ, ଯେଉଁଠାରେ ସୁଧାର କାର୍ଯ୍ୟ ସମ୍ପନ୍ନ ହୋଇଛି ଓ ପିଲାମାନେ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆପଣ ଉତ୍ତର ପ୍ରଦେଶର ସରକାରୀ ସ୍କୁଲ ଓ ଦିଲ୍ଲୀର ସରକାରୀ ସ୍କୁଲ ଉପରେ ଯେଉଁ ବିତର୍କର ଆହ୍ବାନ ଦେଇଛନ୍ତି, ତାକୁ ମୁଁ ଗ୍ରହଣ କରୁଛି ଓ ନିବେଦନ କରୁଛି ଯେ ଏବେ ମୁକ୍ତ ବିତର୍କରୁ ଆଉ ପଛକୁ ହଟିବେନି। ମୁଁ ୨୨ ଡିସେମ୍ବରକୁ ଲକ୍ଷ୍ନୌରେ ରହିବି। ଦିଲ୍ଲୀରେ ସରକାରୀ ସ୍କୁଲର ଦୁରବସ୍ଥାର କେତୋଟି ଫଟୋକୁ ଟୁଇଟରରେ ସ୍ଥାନିତ କରି ଉତ୍ତର ପ୍ରଦେଶ ଓ ଦିଲ୍ଲୀର ସରକାରୀ ବିଦ୍ୟାଳୟ ସମ୍ପର୍କରେ ବିତର୍କ କରିବା ପାଇଁ ଉତ୍ତର ପ୍ରଦେଶର ଶିକ୍ଷାମନ୍ତ୍ରୀ ସତିଶ ଦ୍ୱିବେଦୀ ପ୍ରଥମେ ଆହ୍ବାନ ଦେବା ପରେ ଏହାର ପ୍ରତ୍ୟୁତ୍ତରରେ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଉପରୋକ୍ତ ଟୁଇଟ କରିଥିଲେ। ଅବଶ୍ୟ ନିଜ କଥା ରକ୍ଷାକରି ଡିସେମ୍ବର ୨୨ରେ ମନ୍ତ୍ରୀ ସିସୋଦିଆ ଲକ୍ଷ୍ନୌ ଯାଇଥିଲେ ବି ଏଭଳି ବିତର୍କକୁ ପୋଲିସ ସୁଯୋଗ ଦେଇ ନ ଥିଲା।
ସରକାରୀ ସ୍କୁଲର ଦୁରବସ୍ଥା ପ୍ରସଙ୍ଗ କେବଳ ଗୋଟିଏ ବା ଦୁଇଟି ରାଜ୍ୟର ନୁହେଁ, ଏହା ଏକ ଜାତୀୟ ପ୍ରସଙ୍ଗ ହୋଇଗଲାଣି। ସୁଖର କଥା ଯେ ଏବେ ଏହା ଅଭିଭାବକ ମହଲରୁ ନୁହେଁ, ବରଂ ରାଜନୈତିକ ମହଲରୁ ଉତ୍ଥାପନ ହେଉଛି। ଉନ୍ନତମାନର ଶିକ୍ଷାଦାନ, ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ଓ ଜାତୀୟ ସ୍ତରରେ ପ୍ରତିଷ୍ଠା ଅର୍ଜନ ବିଭିନ୍ନ ରାଜନୈତିକ ଦଳ ପାଇଁ ନିର୍ବାଚନ ଇସ୍ତାହାର ହେବାକୁ ଯାଉଛି। ଦିଲ୍ଲୀର ସମୁଦାୟ ୧୦୨୪ ସରକାରୀ ସ୍କୁଲ ଓ ଉତ୍ତରପ୍ରଦେଶର ୧.୫୯ ଲକ୍ଷ ସ୍କୁଲ ମଧ୍ୟରେ ତୁଳନାତ୍ମକ ବିକାଶ ସମ୍ପ୍ରତି ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦ୍ମୀ ପାର୍ଟି ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ବିତର୍କର ମୂଳଦୁଆ ପକାଇଛି। ଆଗାମୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି ଭାଗନେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିବା ପରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଏହି ଦୁଇ ରାଜ୍ୟ ମଧ୍ୟରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି।
ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ ସ୍କୁଲ ଶିକ୍ଷା ମାନ ସୂଚକାଙ୍କ (ସ୍କୁଲ ଏଜୁକେଶନ କ୍ୱାଲିଟି ଇଣ୍ଡେକ୍ସ)ର ତଥ୍ୟକୁ ଏହି ପରିପ୍ରେକ୍ଷୀରେ ଉପସ୍ଥାପିତ କରିବା ଉଚିତ ହେବ। ବୃହତ୍ ରାଜ୍ୟ, କ୍ଷୁଦ୍ର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷାଦାନର ମାନକୁ ଆଧାର କରି ସେଗୁଡ଼ିକର ତାଲିକା ପ୍ରସ୍ତୁତ ହୁଏ। ୨୦୧୯ ପାଇଁ ବୃହତ୍ ରାଜ୍ୟ ତାଲିକାରେ ସ୍ଥାନ ପାଇଥିବା ପାଞ୍ଚଟି ଶ୍ରେଷ୍ଠ ରାଜ୍ୟ ହେଉଛନ୍ତି କେରଳ, ରାଜସ୍ଥାନ, କର୍ନାଟକ, ଆନ୍ଧ୍ର ପ୍ରଦେଶ, ଗୁଜରାଟ ଓ ସବା ତଳେ ଥିବା ପାଞ୍ଚଟି ରାଜ୍ୟ ହେଉଛନ୍ତି ଝାଡ଼ଖଣ୍ଡ, ବିହାର, ପଞ୍ଜାବ, ଜମ୍ମୁକଶ୍ମୀର ଓ ସର୍ବଶେଷରେ ଉତ୍ତର ପ୍ରଦେଶ। ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ତାଲିକାର ଶୀର୍ଷରେ ଚଣ୍ଡିଗଡ ଥିବାବେଳେ ଦିଲ୍ଲୀର ସ୍ଥାନ ତୃତୀୟ। ଏ ଦୃଷ୍ଟିରୁ ବିଚାର କଲେ ଦିଲ୍ଲୀର ସ୍ଥାନ ନିଶ୍ଚିତ ଉଚ୍ଚରେ। ସ୍ବୀକାର କରିବାକୁ ପଡ଼ିବ ଯେ, ଦିଲ୍ଲୀର ସାମ୍ପ୍ରତିକ ଶିକ୍ଷାଦାନ ବ୍ୟବସ୍ଥା ଓ ଶୈକ୍ଷିକ ବାତାବରଣରେ ପୂର୍ବାପେକ୍ଷା ଅନେକ ସଂସ୍କାର ଆସିଛି। କେବଳ ଜାତୀୟ ସ୍ତରରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଏହା ଦୃଷ୍ଟି ଆକର୍ଷଣ କରୁଛି। ଏଠାରେ ସ୍ମରଣ କରାଇଦେବା ଉଚିତ ହେବ ଯେ ଉତ୍ତରପ୍ରଦେଶର ନିମ୍ନଗାମୀ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ୨୦୧୫ ଅଗଷ୍ଟ ମାସରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟର ଡିଭିଜନ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ସ୍କୁଲରେ ଖାଲିପଡ଼ିଥିବା ଅସଂଖ୍ୟ ଜୁନିୟର ସହକାରୀ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆଗତ ଅନେକଗୁଡ଼ିଏ ପିଟିସନର ବିଚାର କରି ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ସମସ୍ତ ସରକାରୀ କର୍ମଚାରୀ ସେମାନଙ୍କ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବାକୁ ବାଧ୍ୟ। ଏପରି କି ଏହି ନିର୍ଦ୍ଦେଶନାମା ବିଚାର ବିଭାଗ ସମେତ ସମସ୍ତ ସରକାରୀ, ଅର୍ଦ୍ଧ ସରକାରୀ ଓ ଜନପ୍ରତିନିଧିଙ୍କ ପିଲାଙ୍କ ପାଇଁ ଲାଗୁ କରିବାକୁ ନିର୍ଦ୍ଦେଶ ଥିଲା। ଏହାଦ୍ୱାରା ଏହି ସବୁ କର୍ମଚାରୀମାନେ ସରକାରୀ ସ୍କୁଲରେ ଥିବା ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଅବଗତ ହେବେ ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ କାର୍ଯ୍ୟ କରିବେ। ରାଜ୍ୟରେ ଏହା ତୃଣମୂଳ ସ୍ତରରୁ ସାମାଜିକ ସମାନତା ସୃଷ୍ଟି କରିବାରେ ସହାୟକ ହେବ। ଏହି ନିର୍ଦ୍ଦେଶନାମା କେତେଦୂର କାର୍ଯ୍ୟକାରୀ ହୋଇଛି ତାହା ଭିନ୍ନ କଥା, ମାତ୍ର ଏହା ଏକ ଯୁଗାନ୍ତକାରୀ ନିର୍ଦ୍ଦେଶନାମା ଓ ସରକାରୀ ଶିକ୍ଷା ବ୍ୟବସ୍ଥା ଉନ୍ନତ କରିବାରେ ଏହା ନିଶ୍ଚିତ ସହାୟକ ହେବ।
ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ଶିକ୍ଷାଦାନ ପ୍ରଣାଳୀ, ଶିକ୍ଷକଙ୍କ ଯୋଗ୍ୟତା ଓ ଦକ୍ଷତା, ଶିକ୍ଷା ସହ ଆନୁଷଙ୍ଗିକ କ୍ଷେତ୍ରରେ ଶିକ୍ଷା ଓ ତାଲିମ ପ୍ରଦାନ, କ୍ରୀଡ଼ା ଓ ଛାତ୍ରୀ-ଛାତ୍ରଙ୍କର ସର୍ବାଙ୍ଗୀନ ଉନ୍ନତି ଆଦି ପ୍ରସଙ୍ଗକୁ ଭିତ୍ତିକରି ଏଜୁକେଶନ ୱାଲର୍ଡ ପକ୍ଷରୁ ୨୦୧୯ରେ କରାଯାଇଥିବା ଦେଶର ଶ୍ରେଷ୍ଠ ଦଶଟି ସରକାରୀ ସ୍କୁଲ ମଧ୍ୟରେ ଦିଲ୍ଲୀର ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟ ପ୍ରଥମ ସ୍ଥାନରେ ଥିଲା। ଶିକ୍ଷାବିତ, ଶିକ୍ଷକ ଓ ଅଭିଭାବକଙ୍କୁ ନେଇ ଗଠିତ ଏହି ୱେବ ପୋର୍ଟାଲ ପକ୍ଷରୁ ପ୍ରସ୍ତୁତ ଶ୍ରେଷ୍ଠ ୧୦ ସ୍କୁଲ ମଧ୍ୟରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଅନ୍ୟ ଦୁଇଟି ସ୍କୁଲ ୫ମ ଓ ୭ମ ସ୍ଥାନ ପାଇଥିଲା। ସେ ଦୃଷ୍ଟିରୁ ଦିଲ୍ଲୀ ଶିକ୍ଷାମନ୍ତ୍ରୀଙ୍କ ବକ୍ତବ୍ୟରେ ନିଶ୍ଚିତ ଦମ୍ ରହିଛି।
ଓଡ଼ିଶାରେ ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷା ପାଠ୍ୟକ୍ରମରେ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ସଂରକ୍ଷଣ ଘୋଷଣା କରିବା ପରେ ଏବେ ଏହା ସପକ୍ଷ ଓ ବିପକ୍ଷରେ ବିତର୍କ ଚାଲିଛି। ପ୍ରଥମେ ତାମିଲନାଡୁ ଓ ଏବେ ଓଡ଼ିଶା। ଗତ ଅକ୍ଟୋବର ମାସରେ ତାମିଲନାଡୁ ସରକାର ତାମିଲନାଡୁ ସରକାରୀ ସ୍କୁଲ ଓ କଲେଜରେ ପଢିଥିବା ଛାତ୍ରୀଛାତ୍ରଙ୍କ ପାଇଁ ଡାକ୍ତରୀ ଶିକ୍ଷାରେ ଶତକଡା ୭.୫ ସ୍ଥାନ ସଂରକ୍ଷଣ ଘୋଷଣା କରିବା ପରେ ଗତ ଡିସେମ୍ବର ୨୮ରେ ଓଡ଼ିଶା ସରକାର ସରକାରୀ ସ୍କୁଲରେ ପଢ଼ିଥିବା ଛାତ୍ରୀଛାତ୍ରଙ୍କ ପାଇଁ ଉଭୟ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସଂରକ୍ଷଣ ଘୋଷଣା କରିଛନ୍ତି। ଆଶା ରହିଛି ଯେ, ଏହାଦ୍ୱାରା ସରକାରୀ ସ୍କୁଲଗୁଡ଼ିକ ପ୍ରତି ସାଧାରଣରେ ଆକର୍ଷଣ ବୃଦ୍ଧି ସହ ପଢ଼ା ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ଲାଗି ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବ। ସରକାରଙ୍କ ଘୋଷଣାନାମା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ସଂରକ୍ଷଣ ଯୋଗୁ ସେମାନେ ମଧ୍ୟ ସେମାନଙ୍କ ସ୍ବପ୍ନକୁ ସାର୍ଥକ କରିବେ ଓ ଘରୋଇ ସ୍କୁଲ-ସରକାରୀ ସ୍କୁଲ ଭିତରେ ଥିବା ଅସମାନତାକୁ ଏହା ଅନେକାଂଶରେ ଦୂର କରିବ। ନିଜ ନିଜ ପିଲାମାନଙ୍କୁ ସରକାରୀ ସ୍କୁଲରେ ପଢାଇବା ପାଇଁ ଅଭିଭାବକମାନେ ଆଗ୍ରହ ପ୍ରକାଶ କରିବେ ଓ ଘରୋଇ ସ୍କୁଲରେ ବ୍ୟୟ ବହୁଳ ପାଠପଢା ପାଇଁ ଅଧିକ ମନ ବଳାଇବେ ନାହିଁ। ତେବେ ସରକାରଙ୍କ ଏହି ଆଶା କେତେଦୂର ସଫଳ ହେବ ତାହା ଭବିଷ୍ୟତ ହିଁ କହିବ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାପୂର୍ଣ୍ଣ କମିଟି ଗଠିତ ହେବ ଓ କେତେ ପ୍ରତିଶତ ସରଂକ୍ଷଣ କରାଯିବ ତାହା ଉପରେ ରିପୋର୍ଟ ଦେବା ପରେ ତାହା କାର୍ଯ୍ୟକାରୀ ହେବ। ତେବେ ସରକାରଙ୍କ ଏହି ସଂରକ୍ଷଣ ଘୋଷଣା ପ୍ରକାରାନ୍ତରେ ସୂଚନା ଦିଏ ଯେ ସରକାରୀ ସ୍କୁଲ ଘରୋଇ ସ୍କୁଲ ସହ ସମକକ୍ଷ ନୁହେଁ। ପ୍ରକାଶଯୋଗ୍ୟ ଯେ, ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ ସ୍କୁଲ ଶିକ୍ଷା ମାନ ସୂଚକାଙ୍କ-୨୦୧୯ରେ ଓଡ଼ିଶା ୧୨ତମ ସ୍ଥାନରେ ରହିଛି।
ସରକାରୀ ସ୍କୁଲ ଅପେକ୍ଷା ଘରୋଇ ସ୍କୁଲରେ ପାଠପଢ଼ା ଉନ୍ନତ ଓ ପରବର୍ତ୍ତୀ ଉଚ୍ଚତର ଶିକ୍ଷା ପାଇଁ ହେଉଥିବା ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଘରୋଇ ସ୍କୁଲର ଛାତ୍ରୀଛାତ୍ର ମାନେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କଠାରୁ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରୁଥିବା କଥା ଆଲୋଚନାର ପ୍ରସଙ୍ଗକୁ ଆସିଥାଏ। ଏହା ସତକଥା ଯେ, ପ୍ରଥମେ ପ୍ରଥମେ ସହରାଞ୍ଚଳରେ ସରକାରୀ ସ୍କୁଲ ଅପେକ୍ଷା ଘରୋଇ ସ୍କୁଲ ପ୍ରତି ଅଭିଭାବକମାନେ ଅଧିକ ଆଗ୍ରହ ସୃଷ୍ଟି କରୁଥିଲେ ଓ ଏବେ ଗ୍ରାମାଞ୍ଚଳରେ ବି ଏହା ଦେଖିବାକୁ ମିଳୁଛି। ଆର୍ଥିକ ଦୃଷ୍ଟିରୁ ଉନ୍ନତ ନ ଥିବା ପରିବାରର ପିଲାମାନେ ହିଁ ଅଧିକାଂଶ ସରକାରୀ ସ୍କୁଲକୁ ପସନ୍ଦ କରୁଥିବା ଦେଖାଯାଉଛି। ଯେଉଁ ସରକାରୀ ବିଦ୍ୟାଳୟ ଦିନେ ଏ ସମାଜକୁ ଉଚ୍ଚ ପ୍ରତିଭାସମ୍ପନ୍ନ, କବି, ଲେଖକ, ଚିତ୍ରକର, ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ଆଇ.ଏ.ଏସ., ଓ.ଏ.ଏସ., ଶିକ୍ଷକ ଓ ରାଜନେତା ଆଦିରେ ଭରପୂର କରୁଥିଲା, ଆଜି କ’ଣ ପାଇଁ ଅଭିଭାବକମାନେ ସେଇ ସ୍କୁଲ ଆଡୁ ମୁହଁ ଫେରାଉଛନ୍ତି। ଏମିତି କି ଶିକ୍ଷା ଖସଡ଼ା ପ୍ରସ୍ତୁତ କରୁଥିବା ଅଧିକାରୀ, ସରକାରୀ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିବା ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସେମାନଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲ ବଦଳରେ ଘରୋଇ ସ୍କୁଲରେ ପାଠ ପଢ଼ାଉଛନ୍ତି। ଏହାର ଅର୍ଥ ସରକାରୀ ସ୍କୁଲ ଉପରେ ଏମାନଙ୍କର ଭରସା ନାହିଁ ଓ ସରକାରୀ ସ୍କୁଲ ଅପେକ୍ଷା ଘରୋଇ ସ୍କୁଲରେ ଭଲ ପାଠପଢ଼ା ହେଉଛି ଓ ଘରୋଇ ସ୍କୁଲରେ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେମାନଙ୍କର ଧାରଣା ସୃଷ୍ଟି ହୋଇସାରିଛି।
ଦେଶର ପ୍ରଗତିର ମେରୁଦଣ୍ଡ ହେଉଛି ଦେଶର ଶିକ୍ଷା ବ୍ୟବସ୍ଥା। ଏକ ଉପଯୁକ୍ତ ନାଗରିକ ସମାଜ ଗଢ଼ିଥାଏ ଉନ୍ନତ ଶିକ୍ଷା ବ୍ୟବସ୍ଥା। ଦିଲ୍ଲୀ ସରକାର ଓ ଉତ୍ତରପ୍ରଦେଶ ସରକାରଙ୍କ ମଧ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଚାଲିଥିବା ବିତର୍କକୁ ଏକ ସକାରାତ୍ମକ ଢଙ୍ଗରେ ପ୍ରତ୍ୟେକ ରାଜ୍ୟ ଗ୍ରହଣ କରିବା ଉଚିତ। ନିଜ ନିଜ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଶୀର୍ଷକୁ ନେବା ପାଇଁ ହୁଏତ ଏଥିରୁ ସେମାନଙ୍କୁ ପ୍ରେରଣା ମିଳିପାରିବ।
prakas.tripathy୦୯@gmail.com