ବିତର୍କ ଲୋଡ଼ା

ବେଲାବେସ ବେଙ୍କ୍ରେଡା

ଡିସେମ୍ବର ୨୪ରେ ଲିବ୍ୟାରେ ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ବହୁ ଶତାବ୍ଦୀର ଏକଚ୍ଛତ୍ରବାଦ ଶାସନ, ଗୃହଯୁଦ୍ଧ ଏବଂ ଖୁବ୍‌ ନିକଟରେ ଏକ ଅନିଶ୍ଚିତ ସମୟକୁ ସାମ୍‌ନା କରିବା ପରେ ଲିବ୍ୟାର ଲୋକେ ଭୋଟ ଦେବାକୁ ଯାଉଛନ୍ତି। ତେବେ ଏହି ନିର୍ବାଚନର ପରିଣାମ ଅଧିକ ଗ୍ରହଣୀୟ ହେବା ପାଇଁ ଭୋଟରମାନେ ପ୍ରାପ୍ତ ତଥ୍ୟ ଓ ସୂଚନାକୁ ଆଧାରକରି ସେମାନଙ୍କ ନିଷ୍ପତ୍ତି ବାଲଟ ବକ୍ସରେ ଦେବା ଦରକାର। କିନ୍ତୁ ତାହା ହେବ ନାହିଁ। ମାତ୍ର ଦୁଇଟି ପର୍ଯ୍ୟାୟରେ ୧ ମାସ ବ୍ୟବଧାନରେ କରାଯାଉଥିବା ଏହି ନିର୍ବାଚନରେ ୭୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ରହିଛନ୍ତି। ଏଣୁ କମ୍‌ ସମୟ ମଧ୍ୟରେ ସବୁ ପ୍ରାର୍ଥୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ଲାଗି ଲୋକଙ୍କ ପାଖରେ କମ୍‌ ସୁଯୋଗ ରହିଛି। ଲିବ୍ୟାରେ ବିଦେଶୀ ସୁରକ୍ଷା ବଳର ଉପସ୍ଥିତି ଓ ପୁଣି ସଂଘର୍ଷ ଘଟିବାର ଭୟ ଯୋଗୁ ନିର୍ବାଚନ ପ୍ରଚାର ସମୟ କମ୍‌ କରାଯାଇ ଦୁଇ ସପ୍ତାହ ରଖାଯାଇଛି। ଦେଶରେ ବିଭାଜିତ ଗଣମାଧ୍ୟମଗୁଡ଼ିକ ପ୍ରାର୍ଥୀମାନଙ୍କ ସମ୍ପର୍କରେ ଲୋକଙ୍କୁ ଠିକ୍‌ ତଥ୍ୟ ଦେଇପାରୁ ନାହାନ୍ତି। ବ୍ୟାପକ ପବ୍ଲିକ୍‌ ଡିବେଟ ବା ବିତର୍କ କରାଯାଉ ନ ଥିବାରୁ ଏହି ନିର୍ବାଚନର ଫଳାଫଳ ଲିବ୍ୟାର ବିଭାଜିତ ସ୍ଥିତିକୁ ଆହୁରି ଖରାପ କରିବ। ଅଧିକାଂଶ ଲିବ୍ୟାବାସୀ ସ୍ପଷ୍ଟତଃ ଶାନ୍ତି ଓ ସ୍ଥିରତା ଚାହଁୁଥିବା ସତ୍ତ୍ୱେ ଏହି ନିର୍ବାଚନ ଅଧିକ ହିଂସା ସୃଷ୍ଟି କରିବାର ମଧ୍ୟ ସମ୍ଭାବନା ରହିଛି।
ଅକ୍ଟୋବର ୨୦୨୦ରେ ଲିବ୍ୟାର ଦ୍ୱିତୀୟ ଗୃହଯୁଦ୍ଧ ଶେଷ ହେବା ପରେ ଜାତିସଂଘ ଦ୍ୱାରା ଶାନ୍ତି ପ୍ରକ୍ରିୟା ଆରମ୍ଭ କରାଯାଇ ଦେଶର ମଧ୍ୟବର୍ତ୍ତିକାଳୀନ ସରକାର ଗଠନ କରାଗଲା। ୨୦୧୧ରେ ମୁଆମାର ଅଲ୍‌ ଗଦ୍ଦାଫିଙ୍କ ପତନ ପରେ ଏହା ଥିଲା ଦେଶର ଅଷ୍ଟମ ମଧ୍ୟବର୍ତ୍ତିକାଳୀନ ସରକାର। ଲିବ୍ୟାର ସର୍ବ ପ୍ରଥମ ତଥା ଚର୍ଚ୍ଚିତ ରାଷ୍ଟ୍ରପତି ନିର୍ବାଚନକୁ ଠିକ୍‌ ଭାବେ ସଞ୍ଚାଳନ କରିବା ଏହି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହୋଇଛି। ଏହି ନିର୍ବାଚନ ପ୍ରକ୍ରିୟାକୁ ସହଯୋଗ କରିବା ସହ ଡିବେଟ୍‌ଗୁଡ଼ିକ ପାଇଁ ଯୋଜନା କରିବାରେ ଗତବର୍ଷ ମୁଁ ଓ ମୋର ସାଥୀମାନେ ଅଧିକ ସମୟ ଦେଇଛୁ। ଭୋଟରମାନେ ଯଦି ପ୍ରାର୍ଥୀମାନଙ୍କୁ ଏବଂ ସେମାନଙ୍କ ଦୃଷ୍ଟିକୋଣକୁ ତୁଳନା କରିପାରିବେ ତେବେ ଏହି ନିର୍ବାଚନ ସଫଳ ହେବ ବୋଲି ମାସ ମାସ ଧରି ଆମେ ବିଶ୍ୱର ବହୁ ନେତାଙ୍କୁ ଅବଗତ କରିବାରେ ବିତାଇଛୁ। ବିଶ୍ୱ ସମୁଦାୟ ମଧ୍ୟ ଲିବ୍ୟାକୁ ଏକ ସ୍ଥାୟୀ ଗଣତାନ୍ତ୍ରିକ ଦେଶରେ ପରିବର୍ତ୍ତନ କରିବା ପାଇଁ ବହୁ ବର୍ଷ ଧରି ଅନେକ ମିଲିୟନ ଡଲାର ଖର୍ଚ୍ଚ କରି ବିଫଳ ହୋଇଛନ୍ତି। ତେବେ ଲିବ୍ୟାରେ ଏକ ଦୀର୍ଘକାଳୀନ ଗଣତନ୍ତ୍ର ପାଇଁ ପରିବେଶ ସୃଷ୍ଟି କରିବା ଲାଗି ଏହି ନିର୍ବାଚନରେ ବିତର୍କଗୁଡ଼ିକୁ ସମର୍ଥନ କରିବା ଅନ୍ତର୍ଜାତୀୟ ସମୁଦାୟ ପାଇଁ ପ୍ରଥମ ପଦକ୍ଷେପ ହେବା ଆବଶ୍ୟକ।
କୌଣସି ଅଲୌକିକ ଢଙ୍ଗରେ ନିର୍ବାଚନ ଗଣତନ୍ତ୍ର ଆଣେ ନାହିଁ। ଏଥିପାଇଁ ଏକ ବୃହତ୍‌ ପଦକ୍ଷେପ ଆବଶ୍ୟକ। ଲିବ୍ୟାରେ ହ୍ରାସ ପାଉଥିବା ଗଣମାଧ୍ୟମ ସ୍ବାଧୀନତାକୁ ସମର୍ଥନ, ପ୍ରସାରଣ କ୍ଷେତ୍ରରେ ନିନ୍ଦାସୂଚକ ମନ୍ତବ୍ୟର ନିୟନ୍ତ୍ରଣ ଏବଂ ଅତ୍ୟାବଶ୍ୟକ ଗଠନମୂଳକ ଆଲୋଚନା ଆୟୋଜନ କରିବାରେ ଦେଶର ସିଭିଲ୍‌ ସୋସାଇଟିକୁ ସଶକ୍ତ କରିବାକୁ ବ୍ୟାପକ ପ୍ରୟାସ ଦରକାର। କିନ୍ତୁ ଆମ ପ୍ରୟାସ ଆଖିଦୃଶିଆ ହୋଇପାରିନାହିଁ। ଏଥିରେ ପରିବର୍ତ୍ତନ ହେବା ଉଚିତ୍‌। ରାଜନୀତିରେ ଅତ୍ୟଧିକ ଦୁର୍ନୀତି ଯୋଗୁ ଲିବ୍ୟାବାସୀଙ୍କର ଏଥିତ୍ପ୍ରତି ଅତ୍ୟଧିକ ନୈରାଶ୍ୟ ପ୍ରକାଶ ପାଇଛି। ରାଜନୈତିକ ବିପର୍ଯ୍ୟୟ ଓ ବିଳମ୍ବିତ ନିର୍ବାଚନର ଅନେକ ଦଶନ୍ଧି ପରେ ଆଗାମୀ ନିର୍ବାଚନ ସବୁକିଛି ପରିବର୍ତ୍ତନ କରିଦେବ ବୋଲି ଯାହା ଚିନ୍ତା କରାଯାଉଛି ତାହା ସନ୍ଦେହରେ ରହିଛି। ୨୦୧୪ରେ ଲିବ୍ୟାର ସଂସଦୀୟ ନିର୍ବାଚନରେ ଯୋଗ୍ୟ ଭୋଟର୍‌ଙ୍କ ଏକ ପଞ୍ଚମାଂଶରୁ କମ୍‌ ଭାଗ ନେଇଥିଲେ ଏବଂ ଠିକ୍‌ ତା’ପରେ ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ରାଷ୍ଟ୍ରପତି ନିର୍ବାଚନରୁ ସେଭଳି ସ୍ଥିତି ଉପୁଜିବ ବୋଲି ଅନେକେ ଆଶଙ୍କା କରୁଛନ୍ତିି। କାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଦଳ ବା ବ୍ୟକ୍ତିମାନଙ୍କ ମଧ୍ୟରେ ବିତର୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇନାହିଁ। ଏଭଳି ସ୍ଥିତିରେ ଯେଉଁମାନେ ରାଷ୍ଟ୍ରପତି ଦୌଡ଼ରେ ରହୁଛନ୍ତି ସେମାନଙ୍କ ଉପରେ କମ୍‌ ସମୀକ୍ଷା କରାଯାଇଛି। ଫଳରେ ଲୋକମାନଙ୍କୁ ସେମାନଙ୍କ ସମ୍ପର୍କରେ ତଥ୍ୟ ପାଇବା କଷ୍ଟକର ହୋଇପଡ଼ିଛି। ଅନ୍ୟପଟେ ଦେଶର ଗଣମାଧ୍ୟମ ଭୁଲ୍‌ ତଥା ବିଭ୍ରାନ୍ତିକର ପ୍ରଚାରରେ ବ୍ୟସ୍ତ। ଅନେକ ଟିଭି ଚ୍ୟାନେଲ୍‌କୁ ଆଞ୍ଚଳିକ କ୍ଷମତାରେ ଥିବା ଦଳ ବା ବ୍ୟକ୍ତି ପାଣ୍ଠି ଯୋଗାଉଛନ୍ତି। ଏଗୁଡ଼ିକର ରିପୋର୍ଟ ଅଧିକାଂଶ ମୌଳିକ ବିଷୟରେ ସମ୍ପୂର୍ଣ୍ଣ ଭିନ୍ନ ମତ ପୋଷଣ କରୁଛି। ପ୍ରାର୍ଥୀମାନେ ସେମାନଙ୍କ ପ୍ରିୟ ଏବଂ ସପକ୍ଷବାଦୀ ଚ୍ୟାନେଲଗୁଡ଼ିକରେ ସାହାରା ନେଉଛନ୍ତି। ଏହାଦ୍ୱାରା ଦେଶର ଭବିଷ୍ୟତ ଏବଂ ସରକାର ଚଳାଇବାରେ ସେମାନଙ୍କ ଦୃଷ୍ଟିକୋଣ ଉପରେ କୌଣସି ପ୍ରଶ୍ନ କେବେ ବି ପ୍ରାର୍ଥୀମାନଙ୍କୁ ସାମ୍‌ନା କରିବାକୁ ପଡ଼ୁନାହିଁ। କିନ୍ତୁ ସ୍ଥାନୀୟ ପରିଷଦ ନିର୍ବାଚନରେ ଏଭଳି ହୁଏନାହିଁ। ଲିବ୍ୟାରେ ସ୍ଥାନୀୟ ରାଜନୀତିର ଏକ ସଫଳ କାହାଣୀ ରହିଛି, ଯାହା ଜାତୀୟ ରାଜନୀତିରେ ହେବାର ସମ୍ଭାବନା ନାହିଁ। ୨୦୧୧ ଠାରୁ ସବୁ ଅଞ୍ଚଳରେ ଡିବେଟ୍‌ କ୍ଲବ୍‌ଗୁଡ଼ିକ ସଂଖ୍ୟା ଦ୍ରୁତ ଗତିରେ ବଢିଯାଇଛି ଏବଂ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବିତର୍କର ଆୟୋଜନ କରାଯାଇଛି। ଗତ ଦଶନ୍ଧିରେ ୧୦୦ରୁ ଊର୍ଦ୍ଧ୍ୱ ମ୍ୟୁନିସିପାଲ କାଉନ୍‌ସିଲରେ ନିର୍ବାଚନ ଶାନ୍ତିିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ସ୍ତରରେ ସନ୍ତ୍ରାସବାଦୀ ଗୋଷ୍ଠୀର ପ୍ରଭାବ ଜାତୀୟ ସଂସ୍ଥାଗୁଡ଼ିକୁ ଦୁର୍ବଳ କରିଦେଇଥିତ୍ବାବେଳେ ଯୁବ ସଂଗଠନଗୁଡ଼ିକ ଏବଂ କମ୍ୟୁନିଟିରେ ପ୍ରମୁଖ ଭୂମିକା ନେଉଥିବା ସମ୍ମାନାସ୍ପଦ ବୟସ୍କମାନେ ବିତର୍କ ପାଇଁ କ୍ଷେତ୍ର ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଆମର ପ୍ରସ୍ତାବିତ ବିତର୍କ ଏହି ଧାରାରେ ପ୍ରସ୍ତୁତ ହୋଇଛି। ଡିବେଟ ଆୟୋଜନର ଯୋଜନା କରିବାରେ ମୋ ବନ୍ଧୁମାନେ ଏବଂ ମୁଁ ବହୁତ କିଛି କରିଛୁ। ଭୋଟରମାନଙ୍କ ପାଇଁ ଡିବେଟକୁ ତଥ୍ୟର ଏକ ଉପାଦେୟ ଉତ୍ସ କରିବା ସକାଶେ ଅତ୍ୟଧିକ ପ୍ରୟାସ କରିଛୁ। ଲିବ୍ୟା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ଲାଗି ଆମକୁ ବିଶ୍ୱ ସ୍ତରରେ ବେଲାରୁଷଠାରୁ ଆରମ୍ଭ କରି କଲମ୍ବିଆ ଯାଏ ସମାନ ପ୍ରକାର ଡିବେଟଗୁଡ଼ିକର ସମୀକ୍ଷା କରିବାକୁ ପଡ଼ିଛି। ସପକ୍ଷବାଦର ଅଭିଯୋଗକୁ ଦୂର କରିବା ଲାଗି ଆମେ ଡିବେଟଗୁଡ଼ିକୁ ଅନ୍ୟ ଉପାୟରେ ଅର୍ଥାତ୍‌ ସିଧାସଳଖ ବ୍ୟକ୍ତିଙ୍କ ସହ ସାକ୍ଷାତ କରିବା ଲାଗି ଏକ ସ୍ଥାନ ନିରୂପଣ କରିବାକୁ କରିବାକୁ ନିଷ୍ପତ୍ତି ନେଇଥିଲୁ। ସଂଘର୍ଷରେ ଲିପ୍ତ ସଶସ୍ତ୍ର ଗୋଷ୍ଠୀ ଓ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କ୍ଷମତାଶାଳୀ ରାଜନୈତିକ ବ୍ୟକ୍ତିଙ୍କୁ ଶକ୍ତିହୀନ କରିବାକୁ ପ୍ରାର୍ଥୀମାନଙ୍କ ମଧ୍ୟରେ ଏକ ମୁକ୍ତ ,ବିଶ୍ୱାସଯୋଗ୍ୟ ରାଜନୈତିକ ଡିବେଟ୍‌ କରାଇବା ବାସ୍ତବାର ଏକ ଜଟିଳ ପଦକ୍ଷେପ। ଯେଉଁ ଗୋଷ୍ଠୀ କ୍ଷମତାରେ ରୁହନ୍ତୁ ନା କାହିଁକି ଯେ ପର୍ଯ୍ୟନ୍ତ ରାଜନୈତିକ ପ୍ରକ୍ରିୟା ନାଗରିକମାନଙ୍କ ବିଶ୍ୱାସ ଓ ସମର୍ଥନ ନ ପାଇଛି ଏବଂ ରାଜନେତାମାନେ ନିର୍ବାଚନ ଫଳାଫଳକୁ ସମ୍ମାନ ନ ଦେଇଛନ୍ତି, ସେତେବେଳ ଯାଏ ସଂଘର୍ଷ ନିଶ୍ଚିତ ଭାବେ ଲାଗି ରହିବ।
ରାଷ୍ଟ୍ରପତି ନିର୍ବାଚନରେ ପ୍ରାଥୀମାନଙ୍କୁ ନେଇ ଡିବେଟ ବା ବିତର୍କ ଆୟୋଜନ କରାଗଲେ ଲୋକମାନଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରାର୍ଥୀମାନଙ୍କୁ ତାହା ଏକ ସୁଯୋଗ ଦେବ। କିନ୍ତୁ ଗୁପ୍ତରେ, ଭୁଲ୍‌ ବାଟରେ ଓ ଟଙ୍କା ଦେଇ ଡିବେଟ କରାଇବା ଲିବ୍ୟା ରାଜନୀତିର ଏକ ପ୍ରମୁଖ ଚିରିତ୍ର ପାଲଟିଯାଇଛି। ଏଥିରୁ ଶୀଘ୍ର ଦୂରେଇ ଯାଇ ଠିକ୍‌ ବାଟରେ ଡିବେଟକୁ ସ୍ବୀକାର କରିବା ଦରକାର। ନିର୍ବାଚନ ପରେ ବୈଧାନିକ ପ୍ରଭେଦଜନିତ ବିପଦ ଦୂର କରିବାରେ ଏହି ଡିବେଟଗୁଡ଼ିକ ମଧ୍ୟ ସୁଯୋଗ ଆଣିବ ଓ ନିର୍ବାଚନ ପରିଣାମକୁ ପ୍ରାର୍ଥୀମାନେ ଗ୍ରହଣ କରିବେ କି ନାହିଁ ସେ ସମ୍ପର୍କରେ ସେମାନଙ୍କୁ ଆମେ ପ୍ରଶ୍ନ କରିପାରିବା। ଏହି ରାଷ୍ଟ୍ରପତି ନିର୍ବାଚନ ୧୦ ବର୍ଷ କାଳ ରାଜନୈତିକ ବିଭାଜନ ଏବଂ ଗୃହଯୁଦ୍ଧର ଶିକୁଳିରୁ ମୁକ୍ତ ହେବା ଲାଗି ଏଯାଏ ସଂଗ୍ରାମ କରୁଥିବା ଏକ ଦେଶର ସଫଳତାର ପ୍ରତୀକ ଭାବେ ଉଭା ହୋଇଛି। କିନ୍ତୁ ନିର୍ବାଚନ ଏଥିପାଇଁ ଯଥେଷ୍ଟ ନୁହେଁ। ଏଯାଏ ଲିବ୍ୟାରେ ଯେତେ ନିର୍ବାଚନ ହୋଇଛି ସବୁଥିରେ ଲୋକେ କମ୍‌ ଭୋଟ ଦେଇଛନ୍ତି। ପରିଣାମ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଛି ଓ ହିଂସା ଦେଖାଦେଇଛି। ଏକ ବାସ୍ତବ ଓ ସକ୍ରିୟ ଗଣତନ୍ତ୍ର ପାଇଁ ଆବଶ୍ୟକ ଏକ ଦୃଢ, ମୁକ୍ତ ଓ ଅଣପ୍ରୟୋଜିତ ବିତର୍କ । କହିବା ଓ ଶୁଣିବାର ସମାନ ସୁଯୋଗ ଏବଂ ସର୍ବୋପରି ନାଗରିକ ଓ ସେମାନଙ୍କ ପାଇଁ ପ୍ରତିନିଧିତ୍ୱ କରୁଥିବା ରାଜନେତାଙ୍କ ମଧ୍ୟରେ ଏକ ବିଶ୍ୱାସର ସଂସ୍କୃତି ଲୋଡା। ଏଣୁ ଲିବ୍ୟାରେ ଏହି ସବୁ ପରିବେଶ ବା ସ୍ଥିତି ସୃଷ୍ଟି କରିବା ଲାଗି ରାଷ୍ଟ୍ରପତି ନିର୍ବାଚନ ବିତର୍କ ହିଁ ପ୍ରଥମ ପଦକ୍ଷେପ। ସେମାନେ ଏଥିପାଇଁ ପୂର୍ଣ୍ଣ ଅନ୍ତର୍ଜାତୀୟ ସମର୍ଥନ ବ୍ୟତୀତ ଆଉ କିଛି ଆଶା କରିବା ଉଚିତ ନୁହେଁ।
ଫାଉଣ୍ଡର, ଦି ମୁନାଥାରା ଇନିସିଏଟିଭ
ଗ୍ରୁବର ଫେଲୋ ଇନ୍‌ ଗ୍ଲୋବାଲ୍‌ ଜଷ୍ଟିସ୍‌, ୟେଲେ ଲ ସ୍କୁଲ


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri