ବିଧାୟକଙ୍କ ଗିରଫ ପ୍ରତିବାଦରେ ଦେବଗଡ଼ ବନ୍ଦ

ଦେବଗଡ଼,୨ା୫(ଡି.ଏନ୍‌.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ସୋମବାର ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରୁଛି ଭାଜପା। ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ସନ୍ଦ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଚାଲୁ ରହିବ। ସମସ୍ତ ଦୋକାନ ବଜାର ସହ ଗାଡ଼ମୋଟର ମଧ୍ୟ ବନ୍ଦ ରହିଛି। କେବଳ ପରୀକ୍ଷା ଦେଇ ଯାଉଥିବା ଛାତ୍ରୀଛାତ୍ରଙ୍କ ଗାଡ଼ି ଏବଂ ଜରୁରିକାଳୀନ ସେବାକୁ ଏଥରୁ ବାଦ୍‌ ଦିଆଯାଇଛି। କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାୟକ ଭାଜପା କର୍ମୀଙ୍କ ସହ ବନ୍ଦ ପାଳନରେ ସାମିଲ ହୋଇଛନ୍ତି। ତିଲେଇବଣୀ ବ୍ଲକ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ରବିବାର ଭୁବନେଶ୍ୱରରୁ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କର ୨ ଜଣ ସମର୍ଥକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ବେଳେ ଆସନ୍ତା ୭ ତାରିଖ ପରବର୍ତ୍ତୀ ଶୁଣାଣି କରାଯିବ କହିଛନ୍ତି କୋର୍ଟ। ଅନ୍ୟପଟେ ବିଧାୟକଙ୍କ ଅଭିଯୋଗକୁ ଅଣଦେଖା କରାଯାଇ ବିଡିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ଭାଜପା ପ୍ରତିବାଦ କରୁଛି।

Share