ଡେଟ୍‌ ସିଲିଂ ଆଲୋଚନା ସ୍ଥଗିତ

ଓ୍ବାଶିଂଟନ୍‌/ହିରୋଶିମା, ୨୨ା୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର କହିଛନ୍ତି, ଡେଟ୍‌ ସିଲିଂ ସୀମା ବୃଦ୍ଧି ପାଇଁ ସରକାରଙ୍କ ପ୍ରସ୍ତାବ ଉପରେ ବିରୋଧୀ ରିପବ୍ଲିକାନ୍‌ଙ୍କ ଅଫର୍‌ ଗ୍ରହଣଯୋଗ୍ୟ ନୁହେଁ। ତେବେ ଡିଲ୍‌ ପାଇଁ ଖର୍ଚ୍ଚ କାଟ୍‌ ସହ ଟିକସ ଆଡ୍‌ଜଷ୍ଟମେଣ୍ଟ (ସମାଯୋଜନ) କରିବାକୁ ସେ ଆଗ୍ରହୀ। ଜାପାନରେ ଆୟୋଜିତ ଜି୭ ସମ୍ମିଳନୀରେ ଯୋଗଦେଇଥିବା ବାଇଡେନ୍‌ ହିରୋଶିମା ଛାଡ଼ିବା ପୂର୍ବରୁ ସେ ଆହୁରି କହିଛନ୍ତି, ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ୍‌ ବାଇଡେନ୍‌ ଯେପରି ଜିତିପାରିବେ ନାହିଁ ସେଥିଲାଗି କଂଗ୍ରେସରେ କେତେଜଣ ରିପବ୍ଲିକାନ୍‌ ଆମେରିକାକୁ ଡେଟ୍‌ରେ ଖିଲାପକାରୀ ଭାବେ ଦେଖିବାକୁ ଚାହାନ୍ତି।
୧ ସୁଦ୍ଧା ସରକାରୀ ବିଲ୍‌ ପଇଠ ଏବଂ ଷ୍ଟାଫ୍‌ଙ୍କୁ ଦରମା ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନ୍‌ସନ ଦେବା ପାଇଁ ପାଣ୍ଠି ଶେଷ ହେବା ଅବସ୍ଥାକୁ ଚାଲିଆସିଛି। ଏହାକୁ ଦେଖି ଅର୍ଥନୀତିଜ୍ଞମାନେ ମାନ୍ଦାବସ୍ଥା ମାଡ଼ିଆସିବା ଆଶଙ୍କା କରିଛନ୍ତି। ତେଣୁ ବାଇଡେନ୍‌ ରବିବାର ହିରୋଶିମାରୁ ଓ୍ବାଶିଂଟନ୍‌ ଫେରିବା ପୂର୍ବରୁ ଏକ ସହମତିରେ ପହଞ୍ଚତ୍ବା ଲାଗି ଉଦ୍ୟମ କରିଥିଲେ। ହ୍ବାଇଟ୍‌ ହାଉସ୍‌ ଅଧିକାରୀ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ୍‌ଙ୍କ ରିପବ୍ଲିକାନ୍‌ ପାର୍ଟିର ମଧ୍ୟସ୍ଥଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ କିଛି ନିଷ୍କର୍ଷ ବାହାରିପାରି ନାହିଁ। ଜୁନ୍‌ ୧ ଡେଡ୍‌ଲାଇନ୍‌କୁ ଦୁଇସପ୍ତାହରୁ କମ୍‌ ସମୟ ଥିବାବେଳେ ସଂଘୀୟ ସରକାର ଏହାର ସମସ୍ତ ଡେଟ୍‌ ପଇଠ କରିପାରିବ ନାହିଁ ବୋଲି ରବିବାର ଟ୍ରେଜେରି ବିଭାଗ ସତର୍କ କରାଇଛି। ଏପରି ହେଲେ ଦେଶର ଆର୍ଥିକ ବଜାରରେ ଅରାଜକତା ସୃଷ୍ଟି ହେବା ସହ ସୁଧହାର ମଧ୍ୟ ବୃଦ୍ଧି ପାଇବ। ଏନେଇ ବାଇଡେନ୍‌ କହିଛନ୍ତି, ସେ ହାଉସ୍‌ ସ୍ପିକର କେଭିନ୍‌ ମ୍ୟାକ୍‌କାର୍ଥିଙ୍କ ସହ ଖୁବ୍‌ଶୀଘ୍ର ଆଲୋଚନା କରିବେ। ରିପବ୍ଲିକାନ୍‌ ମ୍ୟାକ୍‌କାର୍ଥି ତାଙ୍କ ସହ ଏନେଇ ପ୍ରତ୍ୟକ୍ଷ ଆଲୋଚନା ପାଇଁ ଅପେକ୍ଷା କରିଥିବେ ବୋଲି ଆଶା। ମ୍ୟାକ୍‌କାର୍ଥି ଫକ୍ସ ନ୍ୟୁଜ୍‌କୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ରବିବାର ସକାଳେ ବାଇଡେନ୍‌ଙ୍କ ସହ ସେ ଆଲୋଚନା କରିପାରନ୍ତି। ତେବେ ଅସୁବିଧା ହେଉଛି ବର୍ତ୍ତମାନ ସୁଦ୍ଧା କୌଣସି ପ୍ରସଙ୍ଗରେ ସହମତି ହୋଇନାହିଁ।
ପ୍ରକାଶ ଯେ, ଆମେରିକାର ଆସନ୍ନ ଆର୍ଥିକ ଦୁର୍ଗତିକୁ ଏଡ଼ାଇବା ପାଇଁ ସଂଘୀୟ ସରକାର ୩୧.୪ ଟ୍ରିଲିୟନ୍‌ ଡଲାର ଡେଟ୍‌ ସିଲିଂର ସୀମା ବୃଦ୍ଧି କରିବାକୁ ଚାହୁଁଛନ୍ତି। ବାଇଡେନ୍‌ ଏବଂ ପ୍ରତିନିଧି ସଭା ବାଚସ୍ପତିଙ୍କ ମଧ୍ୟରେ ମାସେ ଧରି ମୁହଁାମୁହିଁ ସ୍ଥିତି ଲାଗିରହିବା ପରେ ଉଭୟେ ପ୍ରତ୍ୟକ୍ଷ ଭାବେ ଏକ ଡିଲ୍‌ ପାଇଁ ଆଲୋଚନା କରିବାକୁ ମଙ୍ଗଳବାର ରାଜି ହୋଇଥିଲେ। ସରକାରୀ ରାଜକୋଷ ଖାଲି ହେବାକୁ ବସିଥିବାବେଳେ କଂଗ୍ରେସର ଉଭୟ ସଦନରେ ଜୁନ୍‌ ୧ ଡେଡ୍‌ଲାଇନ୍‌ ପୂର୍ବରୁ ଯଥାଶୀଘ୍ର ସମ୍ଭବ ଏକ ଚୁକ୍ତିନାମା ଉପରେ ସହମତି ପ୍ରକାଶ କରି ତାକୁ ଗୃହୀତ କରାଇବାକୁ ପଡ଼ିବ। କିଛି ବିକଳ୍ପ ନ ଥିବାରୁ ଆମେ ଏକାଠି ହେବାକୁ ଯାଉଛୁ ବୋଲି ହିରୋଶିମା ଗସ୍ତ ପୂର୍ବରୁ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ରେ ଖବରଦାତାମାନଙ୍କୁ କହିଥିଲେ।

Share