ଭୁବନେଶ୍ୱର : ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଋଣ ମୁକ୍ତି ଶିବିର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଶିବିର ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଚାଲିବ। ଦେଶର ବିଭିନ୍ନ ସ୍ଥାନରେ ରହିଥିବା ବ୍ୟାଙ୍କର ସମସ୍ତ ଶାଖାରେ ଏହି ଶିବିର ଆୟୋଜନ କରାଯାଉଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଜରିଆରେ କ୍ଷୁଦ୍ର ଋଣଧାରୀଙ୍କଠାରୁ ଆରମ୍ଭକରି ୧୦କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତିବିଶେଷ ସେମାନଙ୍କ ଅନାଦେୟ ଋଣ(ଏନ୍ପିଏ)କୁ ଏକକାଳୀନ ପରିଶୋଧ କରିବାକୁ ସୁଯୋଗ ପାଇବେ। କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ଅନ୍ତର୍ଗତ ସମସ୍ତ ଶାଖାରେ ଏହା ଆୟୋଜନ କରାଯାଉଛି। ଏହି ଶିବିର ମାଧ୍ୟମରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇ-କର୍ପୋରେଶନ ବ୍ୟାଙ୍କ ଏବଂ ଇ-ଆନ୍ଧ୍ର ବ୍ୟାଙ୍କର ଏନ୍ପିଏ ଋଣଗ୍ରହୀତାମାନେ ଏଥିରେ ଅଂଶ ଗ୍ରହଣକରି ଏହାର ସୁବିଧା ପାଇପାରିବେ। ଏ ସମ୍ବନ୍ଧୀୟ ସବିଶେଷ ବିବରଣୀ ପାଇଁ ଋଣଗ୍ରହୀତାମାନେ ବ୍ୟାଙ୍କର ନିକଟସ୍ଥ ଶାଖା ସହ ଯୋଗାଯୋଗ କରିପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।