Categories: ଜାତୀୟ

ବିବାହ ପରେ ପ୍ରତାରଣା ସମ୍ପର୍କରେ ଜଣାପଡ଼ିଲେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ଘାତକ ପ୍ରଭାବ: ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୮ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ବିବାହ ପରେ ତୁରନ୍ତ ପ୍ରତାରଣା ସମ୍ପର୍କରେ ଜଣାପଡ଼ିଲେ ମହିଳାଙ୍କ ମାନସିକ ଏବଂ ସ୍ବାସ୍ଥ୍ୟ ଉପରେ ଗଭୀର ଏବଂ ଘାତକ ପ୍ରଭାବ ପଡ଼ିବାର ଆଶଙ୍କା ରହିଥାଏ। ଏହା ସହିତ କୋର୍ଟ ଏପରି ଜଣେ ବ୍ୟକ୍ତିଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ଯାହାଙ୍କର ସ୍ତ୍ରୀ ବିବାହର ୧୩ ଦିନ ପରେ ଆତ୍ମହତ୍ୟା କରିଥିଲେ।
ବିବାହର ଗୋଟିଏ ଦିନ ପରେ ମୃତ ମହିଳା ତାଙ୍କ ସ୍ବାମୀଙ୍କ ବିବାହିତ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ।

ଅଦାଲତ କହିଛନ୍ତି ପ୍ରତାରଣା ସମ୍ପର୍କରେ ଜଣାପଡ଼ିବା ଏକ ଭାବପ୍ରବଣ ଆଘାତ ଏବଂ ଏହା ଦ୍ୱାରା ସମ୍ପୃକ୍ତ ମହିଳାଙ୍କୁ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ଗ୍ରହଣ କରିବାକୁ ପ୍ରେରିତ କରିବାର ମଧ୍ୟ ଆଶଙ୍କା ରହିଥାଏ।

ଜଷ୍ଟିସ ସ୍ବର୍ଣ୍ଣ କାନ୍ତ ଶର୍ମା କହିଛନ୍ତି, ଏଭଳି କ୍ଷେତ୍ରରେ ଶାଶଘରକୁ ଯାଇଥିବା ମହିଳାଢ଼ନରେ ଆଶ୍ଚର୍ଯ୍ୟର ଭାବନା ଅତ୍ୟଧିକ ହୋଇପାରେ। କାରଣ ଜଣେ ମହିଳା ନିଶ୍ଚିତ ଭାବରେ ବିଶ୍ୱାସ ଏବଂ ଭରସା ସହିତ ବିବାହ କରିଥିବେ। ମାତ୍ର ପ୍ରତାରଣା ସମ୍ପର୍କରେ ଜଣାପଡ଼ିବା ଦ୍ୱାରା ଭରସା ତୁଟିବା ସହିତ ମାନସିକ ଶାନ୍ତି ବ୍ୟାହତ ହେବା ଏକ ସାଧାରଣ ଘଟଣା।

କୋର୍ଟ କହିଛନ୍ତି ଅଭିଯୁକ୍ତ ସ୍ବାମୀଙ୍କୁ ଜାମିନ ପ୍ରଦାନ କରିବା ପାଇଁ ପର୍ଯ୍ୟାପ୍ତ କାରଣ ନାହିଁ। ସ୍ବାମୀଙ୍କ କାର୍ଯ୍ୟ ତାଙ୍କ ନବ ବିବାହିତ ସ୍ତ୍ରୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରେରିତ କରିଥିବା ଅଭିଯୋଗ ହୋଇଛି।

ଏହି ଦମ୍ପତି ୧୮ ମେ ୨୦୨୨ ରେ ବିବାହ କରିଥିଲେ ଏବଂ ମହିଳା ଗତ ବର୍ଷ ମେ ୩୦-୩୧ ର ମଧ୍ୟବର୍ତ୍ତୀ ରାତିରେ ଛାତ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ମୃତକଙ୍କ ପିତାଙ୍କ ଅଭିଯୋଗ କ୍ରମେ ରଣଜିତ ନଗର ପୋଲିସ ଷ୍ଟେଶନରେ ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା। ମୃତକଙ୍କ ବାପା ଅଭିଯୋଗ କରିଥିଲେ ତାଙ୍କ ଝିଅର ସ୍ବାମୀଙ୍କର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିଲା, ଯେଉଁଥିପାଇଁ ତାଙ୍କ ଝିଅ ଆତ୍ମହତ୍ୟା କରିଥିଲେ ।

ତେବେ ଅଭିଯୁକ୍ତ ସ୍ବାମୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ସେ ନିର୍ଦ୍ଦୋଷ ଏବଂ ତାଙ୍କ ସ୍ତ୍ରୀଙ୍କ ଆତ୍ମହତ୍ୟା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଓକିଲ କହିଥିଲେ ଉଭୟଙ୍କ ଦାମ୍ପତ୍ୟ ସମ୍ପର୍କ ମଧୁର ଥିଲା।

Share