Categories: ଜାତୀୟ

ଜୁଡିସିଆଲ ଭିଷ୍ଟା ଉପରେ ନିଷ୍ପତ୍ତି ଜଣାଅ

ନୂଆଦିଲ୍ଲୀ,୨୬।୪: ସୁପ୍ରିମକୋର୍ଟ ଭଲ ଭାବେ କାର୍ଯ୍ୟ କରିବା ଲାଗି ‘ଜୁଡିସିଆଲ୍‌ ଭିଷ୍ଟା ନିର୍ମାଣ ଉପରେ ସର୍ବୋଚ୍ଚ ଅଦାଲତ ସୋମବାର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଜାଣିବାକୁ ଚାହିଁଛନ୍ତି। ନ୍ୟାୟପାଳିକା ପାଇଁ ଜୁଡିସିଆଲ ଭିଷ୍ଟା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେବା ଲାଗି ହୋଇଥିବା ଆବେଦନ ଉପରେ ଜଷ୍ଟିସ ବିନୀତ ଶରଣ ଓ ଜେ.କେ. ମାହେଶ୍ୱରୀଙ୍କ ଖଣ୍ଡପୀଠ କହିଛନ୍ତି, ନିର୍ଦ୍ଦେଶ ଦେବାରେ ଅଦାଲତ କୁଣ୍ଠାବୋଧ କରିବେ ନାହିଁ। କିନ୍ତୁ ସରକାର ଏହା ଉପରେ ବିଚାର କରି ନିଷ୍ପତ୍ତି ନେବା ଖଣ୍ଡପୀଠ ଚାହାନ୍ତି ବୋଲି କହିଥିଲେ।
ସ୍ଥାନାଭାବରୁ ଆଇନଜୀବୀମାନେ ବାହାରେ ଛିଡ଼ା ହେଉଥିବା ଆବେଦନକାରୀ ଆଇନଜୀବୀ ଅର୍ଦ୍ଧେନ୍ଦୁମୌଳି କୁମାର ପ୍ରସାଦ ଉପସ୍ଥିତ ରହି ଖଣ୍ଡପୀଠଙ୍କୁ ଜଣାଇଥିଲେ। ସେଣ୍ଟ୍ରାଲ ଭିଷ୍ଟା ଭଳି ଯୋଜନାବଦ୍ଧ ଭାବେ ଜୁଡିସିଆଲ ଭିଷ୍ଟା ରହିବା ଏକ ତର୍କସଙ୍ଗତ ଓ ଠିକ୍‌ କଥା ବୋଲି ଖଣ୍ଡପୀଠ ମତ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାରକୁ ଧାର୍ଯ୍ୟ କରିବା ସହ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ରହିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତରେ ଏକ କେନ୍ଦ୍ରୀୟ ଭିତ୍ତିଭୂମି କମିଟି ଗଠନ ଲାଗି ଆଇନ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକର ମତାମତ ଲୋଡ଼ିଥିବା ସରକାରଙ୍କ ପକ୍ଷର ଓକିଲ ଖଣ୍ଡପୀଠଙ୍କୁ କହିଥିଲେ। ସୁପ୍ରିମକୋର୍ଟର ବର୍ତ୍ତମାନର ପରିସର ନିକଟରେ ଜୁଡ଼ିସିଆଲ ଭିଷ୍ଟା ନିର୍ମାଣ ସହ କେନ୍ଦ୍ରୀୟ ନ୍ୟାୟିକ ଭିତ୍ତିଭୂମି ପାଣ୍ଠି କର୍ତ୍ତୃପକ୍ଷ ଗଠନ ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଥିଲା।

Share