ନିୟମିତ ଯାଞ୍ଚ ପାଇଁ ନିଷ୍ପତ୍ତି

ଦେବଗଡ଼,୨।୧୧(ଡି.ଏନ.ଏ):  ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲା ସଡକ ସୁରକ୍ଷା କମିଟିର ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପରିବହନ ବିଭାଗ ଆନୁକୂଲ୍ୟରେ ତଥା ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଏସ୍‌ପି ଅଙ୍କୁର ମଲ୍ଲିକ, ଏମ୍‌ଭିଆଇ ଗୋଲାପ ହାଁସଦା, ଟ୍ରାଫିକ୍‌ ଇନ୍ସପେକ୍ଟର ବିଶ୍ୱରଞ୍ଜନ ସାହୁ, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଧନୁର୍ଜୟ ମହନ୍ତ, ଜିଲା ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ବେହେରା, ଜିଲା ଅବକାରୀ ଅଧୀକ୍ଷକ କରୁଣାଶଙ୍କର ତିୱାରୀ, ଦେବଗଡ ପୌର ପରିଷଦ ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର, ଏନ୍‌ଏଚ୍‌ଏଆଇ କେନ୍ଦୁଝର ଓ ରାଉରକେଲାର ଅଧିକାରୀ, ସଡକ ସୁରକ୍ଷା କମିଟି ସଦସ୍ୟ ସିଦ୍ଧାର୍ଥ ଗୁରୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଦୁର୍ଘଟଣା ଏଡାଇବା ନିମନ୍ତେ ରାସ୍ତାଘାଟ ମରାମତି, ରାସ୍ତା ଉପରୁ ଜବରଦଖଲ ଉଚ୍ଛେଦ, ହେଲମେଟ ବ୍ୟବହାର ପାଇଁ ଗୁରୁତ୍ୱାରୋପ ଓ ପୋଲିସ-ପରିବହନ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଞ୍ଚଳିକ ପରିବହନ ବିଭାଗର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ରୁଦ୍ର ପ୍ରସାଦ ଭଞ୍ଜ ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।