ହାଇକୋର୍ଟଙ୍କ ଫୁଲ୍‌କୋର୍ଟରେ ନିଷ୍ପତ୍ତି: ସ୍ବାଭାବିକ ହେବ ତଳ କୋର୍ଟ କାର୍ଯ୍ୟ

କଟକ ଅଫିସ,୨୩।୮: କରୋନା କଟକଣା ଭିତରେ କୋର୍ଟଗୁଡ଼ିକ କିଭଳି କାର୍ଯ୍ୟ କରିବେ, ସେନେଇ ହାଇକୋର୍ଟର ଫୁଲ୍‌କୋର୍ଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ ସୀମିତ ରହିବ। ପୂର୍ବରୁ ଏହା ଅଗଷ୍ଟ ୨୧ ଯାଏ ଥିବାବେଳେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି କଟକଣା ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ନିମ୍ନ କୋର୍ଟଗୁଡ଼ିକ କାର୍ଯ୍ୟକୁ ଅନେକାଂଶରେ ସୀମିତ ରଖାଯାଇଥିଲା। ହେଲେ ଏଥିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ସାରା ରାଜ୍ୟରେ ଏଣିକି ସମସ୍ତ ନିମ୍ନକୋର୍ଟ ପୂର୍ବାହ୍ନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ।

ପ୍ରକାଶିତ ନିର୍ଦ୍ଦେଶନାମା ଅନୁଯାୟୀ, ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ କେବଳ ଭର୍ଚ୍ୟୁଆଲ୍‌ ମୋଡ୍‌ ବା ଭିଡିଓ କନଫରେନ୍ସ ଜରିଆରେ ହିଁ ହାଇକୋର୍ଟରେ ମାମଲା ଶୁଣାଣି କରାଯିବ। ଉଭୟ ପୁରୁଣା ଓ ନୂଆ ମାମଲାର ଶୁଣାଣି ହୋଇପାରିବ। ଶୁଣାଣି ହେବାକୁ ଥିବା ମାମଲାର ତାଲିକା ପ୍ରସ୍ତୁତ କରିବାକୁ ରେଜିଷ୍ଟ୍ରାରଙ୍କୁ ଦାୟିତ୍ୱ ଦିଆଯାଇଛି। ନୂତନ ଭାବେ ଦାଏର ମାମଲା ସମ୍ପର୍କରେ ଆଇନଜୀବୀ ଓ ମହକିଲଙ୍କୁ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ୍‌)ଙ୍କୁ ସୂଚନା ଦେବାକୁ ହେବ। କେବଳ ଇ-ଫାଇଲିଂ, ଇ-ମେଲ୍‌ ଓ ଡ୍ରପ୍‌ବକ୍ସ ଜରିଆରେ ହିଁ ନୂତନ ମାମଲା ଓ ସତ୍ୟପାଠ ଦାଖଲ ହୋଇପାରିବ। ଅନ୍ୟପକ୍ଷରେ ସମସ୍ତ ନିମ୍ନକୋର୍ଟ ଓ ଟ୍ରିବ୍ୟୁନାଲ ପୂର୍ବ ନିୟମିତ ସମୟରେ କାର୍ଯ୍ୟ କରିବ। ଭର୍ଚୁଆଲ୍‌ ମୋଡ୍‌ରେ ଶୁଣାଣିକୁ ଗୁରୁତ୍ୱ ଦିଆଯିବ। ନେଟ୍‌ ସମସ୍ୟା ଯୋଗୁ ଭର୍ଚୁଆଲ ମୋଡ୍‌ ସମ୍ଭବ ନ ହେଲେ ଫିଜିକାଲ୍‌ ହିୟରିଂ ହୋଇପାରିବ। ନିମ୍ନକୋର୍ଟରେ ସମସ୍ତ ପ୍ରକାର କାର୍ଯ୍ୟ ଯେପରି ବିଚାରାଧୀନ କଏଦୀଙ୍କ ଶୁଣାଣି, ଦେୱାନି ମାମଲାର ଶୁଣାଣି, ସାକ୍ଷ୍ୟ ଗ୍ରହଣ ଓ ପୁରୁଣା ମାମଲାର ଶୁଣାଣି ହୋଇପାରିବ। ଅତି ଜରୁରୀ ନ ଥିଲେ ଅଭିଯୁକ୍ତଙ୍କୁ କୋର୍ଟ ଆଣିବାକୁ ବାରଣ କରାଯାଇଛି। କିନ୍ତୁ ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ହାଜର କରିବାକୁ ହେବ। ଶୁଣାଣି ସମୟର ଅବଧିକୁ କମାଇବା ପାଇଁ ଲିଖିତ ଯୁକ୍ତିଙ୍କୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣି ତାଲିକା ଓ ପରବର୍ତ୍ତୀ ଶୁଣାଣି ତାରିଖ ସମ୍ପର୍କରେ ନିୟମିତ ଜିଲା କୋର୍ଟର ୱେବ୍‌ସାଇଟ୍‌ରେ ପ୍ରକାଶ କରାଯିବ। ଯେଉଁ ସ୍ଥାନରେ ଲକ୍‌ଡାଉନ କିମ୍ବା ଶଟ୍‌ଡାଉନ ଘୋଷଣା ହୋଇଛି, ସେଠାରେ ପୂର୍ବବତ୍‌ କୋର୍ଟ କାର୍ଯ୍ୟ ସୀମିତ ରହିବ। ଯେଉଁ ସ୍ଥାନରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହୋଇଛି, ସେଠାରେ କୋର୍ଟ କାର୍ଯ୍ୟ ବାତିଲ୍‌ ରହିବ ବୋଲି ନିର୍ଦ୍ଦେଶ ରହିଛି।

Share