Categories: ଖେଳ

‘ପୂଜାରା, ରାହାନେଙ୍କୁ ବାଦ୍‌ ଦିଆଯିବା ଉଚିତ ନ ଥିଲା’

ନୂଆଦିଲ୍ଲୀ,୨୩।୨: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଥିବା ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେଙ୍କ ସମର୍ଥନରେ ବାହାରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା। ଏହି ଭେଟେରାନ ଯୋଡ଼ିକୁ ଦଳରୁ ବାଦ୍‌ ଦିଆଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳର ପରାଜୟ ପରେ ଦୁହିଁଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୁଇ ଖେଳାଳିଙ୍କୁ ବାଦ୍‌ ଦେବା ପରେ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଥିଲେ, ସେମାନଙ୍କୁ ଜାତୀୟ ଦଳକୁ ଫେରିବା ପାଇଁ ରେଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

“ଏହା ଦୁଃଖର କଥା। ଦେଢ଼ ବର୍ଷ ତଳେ ଭାରତୀୟ ଦଳ ଶୀର୍ଷରେ ଥିଲା। ଯଦି ସେତେବେଳେ ସେମାନଙ୍କୁ ବାଦ୍‌ ଦିଆଯାଇଥାଆନ୍ତା, ତେବେ ସମ୍ଭବତଃ ମୁଁ ସେହି ନିଷ୍ପତ୍ତିକୁ ସମର୍ଥନ କରିଥାନ୍ତି। କିନ୍ତୁ ଦଳର ପ୍ରଥମ ସିରିଜ୍‌ ପରାଜୟ ପରେ ସେମାନଙ୍କୁ ବାଦ୍‌ ଦିଆଯିବା ଅନୁଚିତ” ବୋଲି ୫୧ ବର୍ଷୀୟ ପୂର୍ବତନ ବ୍ୟାଟର କହିଛନ୍ତି।

“ପୂଜାରା ଯଥେଷ୍ଟ ରନ୍‌ କରିଛନ୍ତି। ରାହାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଭାରତରେ ସିରିଜ୍‌ ହେଉଥିବା ବେଳେ ସେମାନଙ୍କୁ ବିଦାୟ ଦିଆଗଲା। ଏହା ସ୍ଥୟୀ ବିଦାୟ କି ନୁହେଁ, ତାହା ମୋତେ ଜଣାନାହିଁ। କିନ୍ତୁ ସାଧାରଣତଃ ଯେତେବେଳେ ଭାରତରେ ସିରିଜ୍‌ ଖେଳାଯାଏ, କୌଣସି ବ୍ୟାଟର ବିଫଳ ହୁଅନ୍ତି ନାହିଁ। ଏହା ଉଭୟଙ୍କ ପାଇଁ ଏକ ସମାପ୍ତ। ଗୋଟିଏ ସିରିଜ୍‌ ପରାଜୟ ପରେ ଦୁହିଁଙ୍କୁ ବିଦା କରାଯିବାରୁ ମୁଁ ଦୁଃଖିତ” ବୋଲି ଜାଡେଜା କହିଛନ୍ତି।

Share