ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ଖୁବ୍‌ଶୀଘ୍ର: ଆଇନମନ୍ତ୍ରୀ ହରିଚନ୍ଦନ

ପୁରୀ, ୨୩।୬(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ଖୁବ୍‌ଶୀଘ୍ର ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରତ୍ନ ଭଣ୍ଡାର ଖୋଲିବା ଏବଂ ଏହାର ଗଣତିମଣତି କାର୍ଯ୍ୟ ଦିନେ କିମ୍ବା ୨ଦିନର ନୁହେଁ। ପୁର୍ବ ଥର ୭୦ ଦିନ ଲାଗିଥିଲା। ଏଥର ମଧ୍ୟ ଅଧିକ ଦିନ ଲାଗିବ । ରତ୍ନଭଣ୍ଡାର ଖୋଲିବା ନେଇ ପ୍ରାଥମିକ ପର୍ଯ୍ୟାୟରେ ଆଲୋଚନା ହୋଇଛି। ଖୁବ୍‌ ଶୀଘ୍ର ରତ୍ନଭଣ୍ଡାର ଖୋଲିବାର ଦିନ ସମ୍ପର୍କରେ ଜଣାଇଦିଆଯିବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି। ସନ୍ଧ୍ୟାରେ ପୁରୀରେ ଶ୍ରୀଜିଉଙ୍କ ହାତୀବେଶ ଦର୍ଶନ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
ପ୍ରକାଶ ଯେ, ରାଜ୍ୟରେ ଶାସନଭାରକୁ ଆସିଲେ ରତ୍ନଭଣ୍ଡାର ଖୋଲାଯିବ ବୋଲି ଭାଜପା ତା’ର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଏବେ ରାଜ୍ୟରେ ଭାଜପା ସରକାର ଗଢ଼ିଛି। ତେଣୁ ରତ୍ନଭଣ୍ଡାର ଖୋଲିବାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି। ଗତ ୧୯ତାରିଖରେ ଶ୍ରୀମନ୍ଦିର ପରିଚାଳନା ବୈଠକ ବସିଥିଲା। ବୈଠକ ପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ସୁପରିଣ୍ଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ ଜୁଲାଇ ୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଗଣମାଧ୍ୟମ ଆଗରେ କହିଥିଲେ। ହେଲେ ଏହାର କିଛି ସମୟ ପରେ ଆଇନ୍‌ ମନ୍ତ୍ରୀ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଗଡ଼ନାୟକଙ୍କ ବିବୃତ୍ତିକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ ରତ୍ନଭଣ୍ଡାର ଖୋଲାଯିବା ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ଏନେଇ ଆଲୋଚନା ଚାଲିଛି।

Share