୧୫ରେ ଅନ୍‌ଲକ୍‌ ନେଇ ଘୋଷଣା

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ଏବେ ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୁରୁବାର ସରକାର ଆଗାମୀ ନିଷ୍ପତ୍ତି ଉପରେ ଘୋଷଣା କରିପାରନ୍ତି। ଶୁକ୍ରବାର ସକାଳ ୬ଟାରେ ଏହି ଅନ୍‌ଲକ୍‌ ପ୍ରକ୍ରିୟା ଶେଷ ହେଉଛି। ତେଣୁ ଗୁରୁବାର ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର। ରାଜ୍ୟ କଟକଣାମୁକ୍ତ ହେବ ନା ପୂର୍ବ ପରି ବର୍ଗ-୧ ଓ ବର୍ଗ-୨ ପଦ୍ଧତି ଆପଣେଇବେ। ସବୁ ଜିଲାରେ ଏବେ ବସ୍‌ ସେବା ଆରମ୍ଭ ହୋଇ ନ ଥିବା ବେଳେ ଜିମ୍‌, ବିୟୁଟି ପାର୍ଲର, ମଲ୍‌, ଫିଲ୍ମ ହଲ୍‌ ଆଦି ବନ୍ଦ ରହିଛି। ତେଣୁ ୧୬ରୁ ଏସବୁ ଖୋଲିବାକୁ ଅନୁମତି ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ସାମଗ୍ରିକ ଭାବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବର୍ଗ-୨ରେ ଥିବା କଟକ, ପୁରୀ, ଖୋର୍ଦ୍ଧାର ସ୍ଥିତି ଏବେ ବି ଗମ୍ଭୀର ରହିଛି। ବିଶେଷ କରି ଦ୍ୱୈତନଗରୀ ଭୁବନେଶ୍ୱର ଏବଂ କଟକରେ ପଜିଟିଭ୍‌ ସଂଖ୍ୟା କମିବାର ନାଁ ନେଉନାହିଁ। ଯଦିଓ ଏଠାରେ ସଂକ୍ରମଣ ହାର କମ୍‌ ରହୁଛି, ତଥାପି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ତେଣୁ ଏହି ଦୁଇ ସହର ପାଇଁ ସରକାର ସ୍ବତନ୍ତ୍ର ଷ୍ଟ୍ରାଟେଜି ଆପଣେଇପାରନ୍ତି। ବର୍ଗ-୧ରେ ଥିବା ୧୦ ଜିଲା ମଧ୍ୟରୁ ୭ଜିଲାରେ କଟକଣା ବଳବତ୍ତର ରହିବ ବୋଲି କୁହାଯାଉଛି। ସେହି ଜିଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର।

Share