ଜୀବିତ ଥାଇ ବି ନିଜକୁ ମୃତ ସାବ୍ୟସ୍ତ କଲେ ମହିଳା: ବୀମା କମ୍ପାନୀଠାରୁ ଲୁଟି ନେଲେ ୧୧ କୋଟି

ଇସଲାମାବାଦ୍‌,୫।୧୨: ପାକିସ୍ତାନରେ ଜଣେ ମହିଳା ନିଜକୁ ମୃତ ସାବ୍ୟସ୍ତ କରି ବୀମା କମ୍ପାନୀଠାରୁ ୧୧ କୋଟି ଟଙ୍କା ଲୁଟି ନେଇଛନ୍ତି। ୯ ବର୍ଷ ପରେ ଏହି ଘଟଣା ଜଣାପଡ଼ିଛି। ସଙ୍ଘୀୟ ଯାଞ୍ଚ୍‌ ଏଜେନ୍ସି(ଏଫ୍‌ଆଇଏ) ଅନୁସାରେ ସୀମା ଖର୍ବେ ନାମକ ମହିଳା ୨୦୦୮ ଏବଂ ୨୦୦୯ରେ ଆମେରିକା ଯାତ୍ରା କରି ସେଠାରେ ନିଜ ନାମରେ ଦୁଇଟି ଜୀବନବୀମା ପଲିସି କରିଥିଲେ। ୨୦୧୧ରେ ପାକିସ୍ତାନର କଣେ ଡାକ୍ତରଙ୍କ ସହିତ କିଛି ସ୍ଥାନୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇ ତାଙ୍କର ମୃତ୍ୟୁ ଘଟିଥିବାର ପ୍ରମାଣ ପତ୍ର ଯୋଗାଡ଼ କରି ବୀମା କମ୍ପାନୀରେ ଦାଖଲ କରାଇ କ୍ଷତିପୂରଣ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ସୀମାଙ୍କ ସନ୍ତାନଙ୍କୁ ବୀମା ଟଙ୍କା ମିଳିଥିଲା। ନିଜକୁ ମୃତ ଘୋଷିତ କରିବା ପରେ ମଧ୍ୟ ସୀମା କରାଚି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୦ ଥର ବିଦେଶ ଯାତ୍ରା କରିଥିଲେ। ଏହି ସମୟ ମଧ୍ୟରେ ସେ ୫ଟି ଦେଶ ଯାତ୍ରା କରିଥିବା ଜଣାପଡ଼ିଛି। ସତ୍ୟ ଜଣାପଡ଼ିବା ପରେ ଏବେ ଏଫ୍‌ଆଇଏର ମାନବ ଚୋରା ଚାଲାଣ ସେଲ୍‌ ପକ୍ଷରୁ ସୀମା, ତାଙ୍କ ଝିଅ ପୁଅ ଏବଂ କେତେକ ପାକିସ୍ତାନୀ ଅଧିକାରୀ ତଥା ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ଆପରାଧୀକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

Share