ଭୁବନେଶ୍ୱର,୨୪ା୧୨(ଅନୁରାଧା ମହାରଣା): କୃଷି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଏବଂ ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ସମ୍ପର୍କିତ ତଥ୍ୟ ସୋମବାର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଉଭୟ କୃଷି ଶ୍ରମିକ ଏବଂ ଗ୍ରାମୀଣ ଶ୍ରମିକଙ୍କ ଖୁଚୁରା ମୁଦ୍ରାସ୍ଫୀତି ଚଳିତ ବର୍ଷ ନଭେମ୍ବରରେ ହ୍ରାସ ପାଇଥିବା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ ଦର୍ଶାଯାଇଛି। କୃଷି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ଖୁଚୁରା ମୁଦ୍ରାସ୍ଫୀତି ୫.୩୫ ପ୍ରତିଶତ ହ୍ରାସ ପାଇଥିବାବେଳେ ଏବଂ ଗ୍ରାମୀଣ ଶ୍ରମିକଙ୍କ କ୍ଷେତ୍ରରେ ଏହା ୫.୪୭ ପ୍ରତିଶତକୁ ହ୍ରାସ ପାଇଛି।
ଏକ ମାସ ପୂର୍ବରୁ ଅର୍ଥାତ ଅକ୍ଟୋବରରେ କୃଷି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ କ୍ଷେତ୍ରରେ ଏହା ୫.୯୬% ଏବଂ ଗ୍ରାମୀଣ ଶ୍ରମିକଙ୍କ କ୍ଷେତ୍ରରେ ଏହା ୬% ଥିଲା। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, କୃଷି ଶ୍ରମିକ (ସିପିଆଇ-ଏଲ) ଏବଂ ଗ୍ରାମୀଣ ଶ୍ରମିକ (ସିପିଆଇ-ଆର୍ଏଲ୍) ପାଇଁ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ନଭେମ୍ବରରେ ୫ ପଏଣ୍ଟ ବୃଦ୍ଧି ପାଇ ଯଥାକ୍ରମେ ୧,୩୨୦ ଏବଂ ୧,୩୩୧ରେ ପହଞ୍ଚିଛି। କୃଷି ଶ୍ରମିକ ପାଇଁ ଏହା ୨୦୨୪ ନଭେମ୍ବରରେ ୧,୩୧୫ ପଏଣ୍ଟ ଏବଂ ଗ୍ରାମୀଣ ଶ୍ରମିକମାନଙ୍କ ୧,୩୨୬ ପଏଣ୍ଟ ଥିଲା ।
ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ନଭେମ୍ବରରେ କୃଷି ଶ୍ରମିକ ଏବଂ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଗ୍ରାହକ ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି ଯଥାକ୍ରମେ ୫.୩୫ ପ୍ରତିଶତ ଏବଂ ୫.୪୭ ପ୍ରତିଶତ ରହିଥିଲା। ଅନ୍ୟପଟେ ୨୦୨୩ ନଭେମ୍ବରରେ ଏହା କୃଷି ଶ୍ରମିକଙ୍କ ପାଇଁ ୭.୩୭% ଏବଂ ଗ୍ରାମୀଣ ଶ୍ରମିକଙ୍କ ପାଇଁ ୭.୧୩% ଥିଲା। ଅକ୍ଟୋବର ୨୦୨୪ ରେ କୃଷି ଶ୍ରମିକଙ୍କ ପାଇଁ ଏହା ୫.୯୬ ପ୍ରତିଶତ ଏବଂ ଗ୍ରାମୀଣ ଶ୍ରମିକଙ୍କ ପାଇଁ ୬% ପ୍ରତିଶତ ଥିଲା।